ଶୀଘ୍ର ଆସିବ ବିଜେଡି ନିର୍ବାଚନୀ ଇସ୍ତାହାର, ଛାତ୍ର ଓ ଯୁବକଙ୍କୁ ପ୍ରାଥମିକତା

1 min read

ଭୁବନେଶ୍ବର: ଶୀଘ୍ର ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଗତକାଲି ଶଙ୍ଖ ଭବନରେ ପ୍ରଥମ ବୈଠକ ବସିବା ପରେ ମତାମତ ଆସିବା ଆରମ୍ଭ ହୋଇଛି । ଏଥର ଛାତ୍ର ଓ ଯୁବକଙ୍କୁ ଇସ୍ତାହରରେ ବିଜେଡି ଦେବ ପ୍ରାଥମିକତା । ସେପଟେ ପ୍ରତିଦିନ ନବୀନ ନିବାସରେ ବଢୁଛି ସମର୍ଥକଙ୍କ ଭିଡ଼ । ବିକାଶ କାର୍ଯ୍ୟକ୍ରମ ସମେତ ସଠିକ୍ ପ୍ରାର୍ଥୀ ଚୟନ ଯୋଗୁଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି ।

ଚାଷୀ, ମହିଳାଙ୍କ ପରି ବିଜେଡି ଫୋକସରେ ଯୁବକ ଓ ଛାତ୍ର । ଏଥର ବି ଦଳର ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ ମିଳିବ ପ୍ରାଧାନ୍ୟ । ଖାସ୍ କରି ଛାତ୍ର ଇସ୍ତାହାର ଓ ଯୁବ ବଜେଟକୁ ଗୁରୁତ୍ବ ଦେବ ବିଜୁ ଜନତା ଦଳ । ଛାତ୍ର ଓ ଯୁବ ସମାଜର ଭବିଷ୍ୟତ ଗଢିବାରେ ଏସବୁ ହେବ ସହାୟକ । ଛାତ୍ର ଇସ୍ତାହାରରେ କ’ଣ ରହିବ, ସେ ନେଇ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀଙ୍କ ମତାମତ ଅଣାଯାଇଛି । ସେହିପରି କୃଷି ବଜେଟ ପରି ଯୁବ ବଜେଟ ଆଣାଯିବ । ଦକ୍ଷତା ବିକାଶ ସହ ଯୁବକଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ଯ ନେଇ ଏହି ବଜେଟ ପ୍ରସ୍ତୁତ କରାଯିବ । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟରେ ହିଁ ଛାତ୍ର ଇସ୍ତାହାର ଓ ଯୁବ ବଜେଟ ଉପରେ ମୋହର ମାରିବେ ନବୀନ । ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି କାମ ଆରମ୍ଭ କରି ଦେଇଛି । ଏ ସମସ୍ତ ନେତା ସମାଜର ବିଭିନ୍ନ କ୍ଷେତ୍ର, ବିଭିନ୍ନ ଅଞ୍ଚଳ, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇ ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ଆଲୋଚନା କରି ଦଳୀୟ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି ।  [email protected] ଜରିଆରେ ଇସ୍ତାହାର ପାଇଁ ମତାମତ ଆସିବାରେ ଲାଗିଲାଣି । ଇସ୍ତାହାରର ଚୂଡ଼ାନ୍ତ ରୂପରେଖରେ ମୋହର ମାରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ମୌଳିକ ଆବଶ୍ୟକତାକୁ ଫୋକସ ଦିଆଯାଇଥିବାବେଳେ ସେଥିରେ ରହିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଗ୍ୟାରେଣ୍ଟି ।

ସେପଟେ ଦିନକୁ ଦିନ ବିଜେଡିର ସମର୍ଥନ ବଢିବାରେ ଲାଗୁଛି । ମସଜିଦ୍ ଓ ଚର୍ଚ୍ଚର ବିକାଶ ସହ କବରସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ଜମି ପ୍ରଦାନ କରିଛନ୍ତି । ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟ ଦୈନିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛନ୍ତି । ସେହିପରି ବାରବାଟୀ-କଟକରୁ ପ୍ରକାଶ ବେହେରାଙ୍କୁ ବିଧାୟକ ପ୍ରାର୍ଥୀ ଓ ସଂତୃପ୍ତ ମିଶ୍ରଙ୍କୁ କଟକ ସାଂସଦ ପ୍ରାର୍ଥୀ କରିଛି ବିଜେଡି । ଏ ନେଇ ବାରବାଟ-କଟକର ୧୫ ଜଣ କର୍ପୋରେଟରଙ୍କ ସହ ଆଶୀର୍ବାଦ ବେହେରା ଓ ଓସିଏ ସଂପାଦକ ସଞ୍ଜୟ ବେହେରା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଜୟଦେବ ଆସନର ବିଧାୟକ ପ୍ରାର୍ଥୀ ନବ ମଲ୍ଲିକ ବି ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ଯବାଦ ।

ସମ ବିକାଶ ଓ ଧର୍ମନିରପେକ୍ଷ ରାଜନୀତି ହେଉଛି ନବୀନ ମନ୍ତ୍ର । ସମସ୍ତଙ୍କୁ ନେଇ ଦୁଇ ଦଶନ୍ଧିରୁ ଅଧିକ କାଳ ରାଜ୍ୟର ବିକାଶରେ ଲାଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।