ଯୋଗୀଙ୍କୁ ବିଜେଡି ଦେଲା ରାଜ୍ୟ ବିଜେପିର ୪ ମାଫିଆ ନେତାଙ୍କ ତାଲିକା

1 min read

ଭୁବନେଶ୍ବର: ମାଫିଆ ହଟାଇବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ ବିଜେଡି ରଖିଛି ତୀବ୍ର ପ୍ରତିକ୍ରିୟା । କହିଲା- ଯୋଗୀଙ୍କ ବକ୍ତବ୍ୟରୁ ଲାଗୁଛି ଯେମିତି ରାଜ୍ୟ ବିଜେପି ସମ୍ପର୍କରେ ସେ ଅବଗତ ନୁହଁନ୍ତି ବା ତାଙ୍କ ପାଖରେ କିଛି ତଥ୍ୟ ନାହିଁ । ସେ ଜାଣି ନାହାନ୍ତି ଯେ ରାଜ୍ୟ ବିଜେପିରେ ମାଳମାଳ ଅପରାଧୀ । ମାଳମାଳ ମାଫିଆଙ୍କୁ ବିଜେପି ବାଛି ନେଉଥିବା ବିଜେଡି ଅଭିଯୋଗ କରିଛି । ୪ ବିଜେପି ଦାଗୀ ନେତାଙ୍କ ସମ୍ପର୍କରେ ଉଦାହରଣ ଦେଇଛି ବିଜେଡି ।

ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ମାଫିଆଙ୍କୁ ବାନ୍ଧି ଜେଲରେ ପୂରାଯିବ ବୋଲି ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ଯ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ରାଜ୍ୟ ବିଜେପିରେ ଗଣ୍ଡା ଗଣ୍ଡା ଦାଗୀ ନେତା ଥିବା ବେଳେ ଯୋଗୀଙ୍କୁ ଦେଖାଯାଉନାହିଁ ବୋଲି ବିଜେଡିର ଅଭିଯୋଗ କରିଛି । ସାମ୍ବାଦିକ ସମ୍ମିଳନୀରେ ୪ ଜଣ ବିଜେପି ନେତାଙ୍କ ଉଦାହରଣ ଦେଇଛି ବିଜେଡି । ଜାଣନ୍ତୁ, କେଉଁ ମାଫିଆ ନେତାଙ୍କ ତାଲିକା ଦେଲା ବିଜେଡି ।

ବୈଜୟନ୍ତ ପଣ୍ଡା

ଅନୁସୂଚିତ ଜାତି ଜନଜାତିଙ୍କ ଜମି ହଡ଼ପ ନେଇ ମାମଲା ଚାଲିଛି । ତାଙ୍କ ପରିବାରର ମାଲିକାନାରେ ଥିବା ଗଣମାଧ୍ୟମ ସରକାରୀ ଜମି ହଡ଼ପ କରିଛି । ସେହି ବୈଜୟନ୍ତ ପଣ୍ଡାଙ୍କ ପାଇଁ ଯୋଗୀ ଭୋଟ ମାଗିଛନ୍ତି ।

ପ୍ରଶାନ୍ତ ଜଗଦ୍ଦେବ

ପ୍ରଶାନ୍ତ ବାରମ୍ବାର କହୁଛନ୍ତି, ସେ ସବୁଠାରୁ ବଡ଼ଗୁଣ୍ଡା । ଗତକାଲି ମଧ୍ୟ ତାଙ୍କ ଧୃଷ୍ଟତା ଦେଖିବାକୁ ମିଳିଛି । ସେ ଗାଡ଼ି ଚଢ଼ାଇଲେ ବିଜେପି କର୍ମୀଙ୍କ ଉପରେ । ବିଜେଡି ତାଙ୍କୁ ବହିଷ୍କାର କଲା, ବିଜେପି ତାଙ୍କୁ ଗ୍ରହଣ କରିନେଲା । ଏପରି ସ୍ଥଳେ ଯୋଗୀ ଅଦିତ୍ୟନାଥ ଅପରାଧ ହଟାଇ ଦେବୁ କହୁଛନ୍ତି ବୋଲି କହି ବିଜେଡି କଟାକ୍ଷ କରିଛି ।

ପ୍ରଦୀପ ପାଣିଗ୍ରାହୀ

ପ୍ରଦୀପ ଜଣେ ବିଧାୟକ ହୋଇ ଚୋରି କରିଛନ୍ତି, ଠକିଛନ୍ତି ଓ ଲୁଟିଛନ୍ତି । ବିଜେଡି ବହିଷ୍କାର କରିବା ପରେ ବିଜେପି କୋଳେଇ ନେଇଛି । ଯୋଗୀ ଏସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।

ସମୀର ଦାଶ

ବର୍ଷକ ତଳେ ସମୀର ଦାଶଙ୍କ ବିରୋଧରେ ବିଜେପି ଗର୍ଜନ କରୁଥିଲା । ସମୀର ବିଭିନ୍ନ ଅପରାଧରେ ସଂଶ୍ଳିଷ୍ଟ ବୋଲି ଗର୍ଜନ କରୁଥିଲା ବିଜେପି । ପ୍ରଭାତୀ ପରିଡ଼ା ଗର୍ଜନ କରୁଥିଲେ । ହେଲେ ଏବେ ତାଙ୍କୁ କୋଳେଇ ନେଇଛନ୍ତି । ବିଜେପି ପ୍ରକୃତରେ ନାରୀଙ୍କୁ ସମ୍ମାନ ଦେଇଥିଲେ ସମୀରଙ୍କୁ କୋଳେଇ ନଥାନ୍ତା । ରାଜ୍ୟ ବିଜେପି ବୋଧହୁଏ ଏସବୁ ନେତାଙ୍କ ବାବଦରେ ଯୋଗୀଙ୍କୁ ଅବଗତ କରାଇନାହିଁ ବୋଲି ବିଜେଡି ତାତ୍ସଲ୍ୟ କରି କହିଛି ।

ଉତ୍ତର ପ୍ରଦେଶ ଭଳି ମାଫିଆଙ୍କୁ ହଟାଇବା ଆହ୍ବାନ ଯୋଗୀ ଆଦିତ୍ୟନାଥ ଓଡ଼ିଶାରେ ଦେବା ପୂର୍ବରୁ ରାଜ୍ୟ ବିଜେପିର ଅସଲ ଚେହେରା ଓ ନେତାଙ୍କ ଚରିତ୍ର ବାବଦରେ ଅବଗତ ହେବା ଜରୁରୀ ବୋଲି ବିଜେଡି କହିଛି ।