ମୋଦିଙ୍କୁ ସୌମ୍ୟଙ୍କ ଜବାବ: ରାହୁଲଙ୍କୁ ଡରିଲେ, ବିଶ୍ବଗୁରୁ ହେବ କେମିତି ?

1 min read

ଭୁବନେଶ୍ବର: ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଜବାବ ଦେଇଛନ୍ତି ସୌମ୍ୟ । କହିଛନ୍ତି- ବିଶ୍ବଗୁରୁ ହେବାକୁ ଚାହୁଁଛ, ରାହୁଲଙ୍କୁ ଡରିଲେ ବିଶ୍ବଗୁରୁ ହେବ କେମିତି ? ଏହାସହ ରହୁଲଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବାକୁ ଦେଲେ ପରାମର୍ଶ ।

ସେ କହିଛନ୍ତି, ‘ରାହୁଲଙ୍କ ସଭ୍ୟ ପଦ ରଦ୍ଦ ପରେ କାହାର ଲାଭ ହେବ, କାହାର କ୍ଷତି ହେବ ବିଚାର କଲେ ଆପଣ ଜାଣି ପାରିବେ । ନରେନ୍ଦ୍ର ମୋଦି ବିଶ୍ବଗୁରୁ ହେବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ସେ କ’ଣ ହାସଲ କରିବେ, ଏକଥା ସେ ନିଜେ ଚିନ୍ତା କରିବାର ଦରକାର । ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଅନ୍ୟକୁ ବାରମ୍ବାର ସମାଲୋଚନା କଲେ ଭୋଟ ମିଳିବ ବୋଲି ଭାବିବା ଉଚିତ ନୁହେଁ । ଉଭୟଙ୍କୁ ଶିକ୍ଷା ଲାଭ କରିବାର ଅଛି ।’

ଆଗକୁ ସେ କହିଛନ୍ତି, ‘ରାହୁଲ ଗାନ୍ଧି ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏଭଳି ମନ୍ତବ୍ୟ ଦେଇ ବିରୋଧୀଙ୍କୁ ସମାଲୋଚନା କରିବାକୁ ସୁଯୋଗ ନ ଦିଅନ୍ତୁ । ନରେନ୍ଦ୍ର ମୋଦି ରାହୁଲଙ୍କୁ ହରିବା ଭଳି ଲାଗୁଛି । ଯଦି ରାହୁଲଙ୍କୁ ଡରିବେ ତେବେ ବିଶ୍ବଗୁରୁ ହେବେ କେମିତି ? ଗଣତନ୍ତ୍ରରେ ପ୍ରତିପକ୍ଷଙ୍କ ମୁହଁ ବନ୍ଦ କରିବାକୁ କ୍ଷମତା ଓ କୌଶଳ ବ୍ୟବହାର ଗ୍ରହଣୀୟ ନୁହେଁ । ନରେନ୍ଦ୍ର ମୋଦି ଯେଉଁ ସ୍ତରକୁ ଯିବାକୁ ଚାହିଁଛନ୍ତି, ସେଠାକୁ ଯିବାକୁ ଏହା ମାଧ୍ୟମ ନୁହେଁ ।’