‘ଅପରାଧୀଙ୍କ ପ୍ରତି ସହାନୁଭୁତି ଦେଖାଇ ବିରୋଧୀ ହୀନ ରାଜନୀତି କରୁଛନ୍ତି’

ଭୁବନେଶ୍ୱର: ଅପରାଧୀଙ୍କ ପ୍ରତି ସହାନୁଭୁତି ଦେଖାଇ ବିରୋଧୀ ହୀନ ରାଜନୀତି କରୁଛନ୍ତି । ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁର ଜେଲରେ କିପରି ପ୍ରାଣ ଗଲା ସେ ନେଇ ତଦନ୍ତ ଜାରି ରହିଛି । ବିରୋଧୀଙ୍କ ଦ୍ବାରା ଆଗତ ମୁଲତବୀ ଆଲୋଚନାରେ ଭାଗ ନେଇ ଏପରି କଡ଼ା ଜବାବ ଦେଇଛି ବିଜେଡି । ବିଜେଡି ମୁଖପାତ୍ର ଅରୁଣ ସାହୁ ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କ୍ରିମିନାଲ ମାଇଣ୍ଡ୍‌ କ୍ରିମିନାଲକୁ ସପୋର୍ଟ କରନ୍ତି । ବିରୋଧୀ ଯେପରି ଘଟଣା କିପରି ଘଟିଲା, କାହିଁକି ଏପରି ନ ହୋଇ ଏପରି ହେଲା । ଏଥିରୁ ଜଣାପଡୁଛି ବିରୋଧୀ ପବିତ୍ର ବିଧାନସଭାକୁ କୋର୍ଟରୁମ୍‌ କରିସାରିଲେଣି ।

କୋଉଠୁ ଏପରି ଉଦ୍ଭଟ ତଥ୍ୟ ବିରୋଧୀ ପାଉଛନ୍ତି ଜଣାନାହିଁ । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଛି । କିନ୍ତୁ ବିରୋଧୀଙ୍କୁ ଏହା ଦିଶୁନି । ଜଣେ ହତ୍ୟାକାରୀର ଆତ୍ମହତ୍ୟା ପାଇଁ ସରକାରଙ୍କୁ ସମାଲୋଚନା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ ହେଉଛି । ଏଥିରେ ବିରୋଧୀ କେବେ ବି ସଫଳ ହେବେନି । ଗୋଟିଏ ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହେଉଛି । କିନ୍ତୁ ବିରୋଧୀ ବିଷୟବସ୍ତୁ ବାହାରକୁ ଯାଇ ଆଲୋଚନା କରୁଛନ୍ତି ବୋଲି ବିଜେଡି ବିରୋଧୀଙ୍କୁ ଟାର୍ଗେଟ୍‌ କରିଛି ।