ଯେତେ ଚେଷ୍ଟା କଲେ ବି କେନ୍ଦ୍ରମନ୍ତ୍ରୀ ସଫଳ ହେବେନି: ବିଜେଡି

1 min read

ଭୁବନେଶ୍ବର: ମହିଳା ସଶକ୍ତୀକରଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଟାର୍ଗେଟ । ମହିଳାଙ୍କ ଉନ୍ନତି ପାଇଁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଭୂମିକା ଓ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ଦୁଇ ବରିଷ୍ଠ ନେତା ଅମର ଶତପଥୀ ଏବଂ ଶଶିଭୂଷଣ ବେହେରା ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ‘ମହିଳା ସଶକ୍ତୀକରଣ ଆରମ୍ଭ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ୨ ହଜାର ମସିହା ପରେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରକୁ ଅଣାଯିବା ସହିତ ସେମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମିଶନ ଶକ୍ତି ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏବେ କେନ୍ଦ୍ରମନ୍ତ୍ରୀମାନେ ମାଇଲେଜ୍‌ ନେବା ପାଇଁ ଚେଷ୍ଟା କରୁଛନ୍ତି  । ସେଥିରେ ସେମାନେ ସଫଳ ହେବେ ନାହିଁ ।

ସେହିପରି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ‘ମହିଳାଙ୍କୁ ସଶକ୍ତ କରିବା ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନିଆଯାଉଛି । ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ବେଶ୍‌ ଗୁରୁତ୍ଵ ଦେଉଛନ୍ତି ମୁଖ୍ୟମନ୍ତ୍ରୀ l ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ସେଥିପାଇଁ ବାରମ୍ବାର ଆଶୀର୍ବାଦ କରୁଛନ୍ତି ଓ ଜିତାଉଛନ୍ତି।

ସେପଟେ ବିଜେପିର ଶକ୍ତି ବନ୍ଦନକୁ କଡ଼ା ସମାଲୋଚନା କରିଛି ବିଜେଡି । ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି, ‘ଦୁଃଖର କଥା ମାଆଙ୍କୁ ସେମାନେ ଭୋଟ ବ୍ୟାଙ୍କ୍ କରୁଛନ୍ତି । ଭାରତୀୟ ଜନତା ପାର୍ଟିର ଆଜି ମନେ ପଡୁଛି ଶକ୍ତି ବନ୍ଦନ କଥା । ଆଗରୁ କୁଆଡେ ଯାଇଥିଲେ ? ମାଆଙ୍କୁ ସଶକ୍ତ କରିବା ସମ୍ମାନ ଦେବା କଥା ଭୁଲି ଯାଇଥିଲେ । ଇଲେକ୍ସନ ଆସିଲା ବୋଲି ନିଦ ଭାଙ୍ଗୁଛି । ମିଶନଶକ୍ତି ମାଧ୍ୟମରେ ମାଆଙ୍କୁ ସମ୍ମାନ ଓ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ମହିଳାମାନେ ଅର୍ଥନୀତି ଦୃଷ୍ଟିକୋଣରୁ ସ୍ବାବଲମ୍ବୀ ହୋଇଛନ୍ତି । ପଞ୍ଚାୟତି ରାଜରେ ୫୦ ପ୍ରତିଶତ ଓ ସଂସଦରେ ୩୩ ପ୍ରତିଶତ ଦେଇ ରାଜେନୖତିକ କ୍ଷେତ୍ରରେ ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନେ ଆଜି ଭାବୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଏପରି ଚିନ୍ତା କେବେଠୁ କରିଛନ୍ତି । ବିଜେଡି ରାଜନୀତିକୁ ଦେଖେନି । ମାଆଙ୍କୁ ସମ୍ମାନ ଦିଏ । କିଏ କ’ଣ କଲା ଆମେ ଆଲୋଚନା କରିବା ଠିକ୍ ନୁହେଁ ।