କ୍ଷମତାରେ ଅନ୍ଧ ବିଜେପି: ରାସ୍ତା କାମ ପାଇଁ ପାଣ୍ଠି ଦେଲେ ବିଜେଡି ସାଂସଦ, ହେଲେ ଫଳକରେ ରହିଲାନି ନାଁ
ଚିଲିକା: ଗାଁକୁ ଭଲ ରାସ୍ତାଟିଏ ନଥିଲା ବିଜେଡି ସାଂସଦ ଅର୍ଥ ଦେଲେ । ହେଲେ ଭିତ୍ତିପ୍ରସ୍ତ ଫଳକରେ ରହିଲାନି ସାଂସଦଙ୍କ ନାଁ । ଏପରି ଘଟଣା ଦେଖିବାକୁ ମିଳିଛି ଚିଲିକା ନିର୍ବଚନ ମଣ୍ଡଳିରେ । ହାଟ ବରଡ଼ି ପଞ୍ଚାୟତ ତଳ ଓଡ଼ିଆ ସାହି ଗାଁକୁ ଭଲ ରାସ୍ତାଟିଏ ନଥିଲା । ବିଜେଡି ସାଂସଦ ମାନସ ମଙ୍ଗରାଜ ସାଂସଦ ପାଣ୍ଠିରୁ ସୁପାରିସ କରିବା ପରେ ସାଢ଼େ ୯ ଲକ୍ଷ ଟଙ୍କା ଜିଲ୍ଲାପାଳ ଅନୁମୋଦନ କରିଥିଲେ । ହେଲେ କ୍ଷମତାକୁ ଆସିବା ପରେ ବିଜେପି ସବୁ ନୀତି ନିୟମକୁ ଫୋପାଡ଼ି ଦେଇଛି । ଫଳକରେ ସାଂସଦଙ୍କ ନାଁ ନଥିବା ବେଳେ ପୂର୍ତ୍ତ ମନ୍ତ୍ରୀ ନିଜ ନାମ ନେଇ ବାହାଦୁରୀ ନେଉଛନ୍ତି । ରାଜ୍ୟ ସରକାରଙ୍କ ଏପରି ନୀତିକୁ ସବୁ ମହଲରେ ନିନ୍ଦା କରାଯାଉଛି ।
ଆଇଲେ ମାଳି, ମାଇଲେ ତାଳି…
ଧରି ପଳେଇଲେ ଖେଚୁଡ଼ି ଥାଳି…
କ୍ଷମତା ପରିବର୍ତ୍ତନ ପରେ ରାଜ୍ୟରେ ଏପରି ଅଜବ ପରମ୍ପରା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗାଁକୁ ରାସ୍ତା ନଥିଲା । ହାତପାଣ୍ଠିରୁ ଅର୍ଥ ସୁପାରିସ କଲେ ବିଜେଡି ସାଂସଦ ମାନସ । ହେଲେ ରାସ୍ତା ପାଇଁ ଭିତ୍ତିପ୍ରସ୍ତର ଫଳକରେ ଦେଖିବାକୁ ମିଳୁନି ତାଙ୍କ ନାଁ । ଫଳକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ନାଁ ରହିଛି, ହେଲେ ସାଂସଦଙ୍କ ନାଁ ଦେଖିବାକୁ ମିଳୁନି ।
ତଳ ଓଡ଼ିଆ ଗ୍ରାମକୁ ଭଲ ରାସ୍ତା ପାଇଁ ଗ୍ରାମବାସୀ ସାଂସଦ ମଙ୍ଗରାଜଙ୍କୁ ଅନୁରୋଧ କରିବାରୁ ଗତ ଫେବୃଆରୀ ୨୩ ତାରିଖରେ ସାଂସଦ ନିଜ ହାତପାଣ୍ଠିରୁ ୯ ଲକ୍ଷ ୫୦ ହଜାର ଟଙ୍କା ସୁପାରିସ କରିଥିଲେ । ପରେ ଜିଲ୍ଲାପାଳ ମଧ୍ୟ ଏହାକୁ ମଞ୍ଜୁର କରିଥିଲେ । ମାର୍ଚ୍ଚ ମାସରେ ନିର୍ବାଚନ ଆଚରଣବିଧି ଲାଗୁ ହେବାରୁ ପେଭର ବ୍ଲକ ପଡ଼ି ରାସ୍ତା କରିବାକୁ ଅର୍ଥ ଖର୍ଚ୍ଚ ହୋଇପାରି ନଥିଲା । ନିର୍ବାଚନ ପରେ ବିଜେପି କ୍ଷମତାକୁ ଆସିବା ପରେ ନିଜେ ପୂର୍ତ୍ତ ମନ୍ତ୍ରୀଙ୍କ ନାମ ରହିଲା । ହେଲେ ସାଂସଦଙ୍କ ନାମ ଉଡ଼ିଗଲା । ବିରୋଧୀଙ୍କ ଅଭିଯୋଗ, ନୀତି ନୈତିକତାର ପଠା ପଢାଉଥିବା ପଦ୍ମ ଦଳିଆଙ୍କ ଏହା ହେଉଛି ପୁରୁଣା ଅଭ୍ୟାସ । କ୍ଷମତାକୁ ଆସିବା ପରେ ଜନପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦେଉନାହାନ୍ତି । ଆସନ୍ତା ଦିନରେ ସଂସଦରେ ବିଜେଡି ଏ ନେଇ ସ୍ବାଧୀକାର ଭଙ୍ଗ ନୋଟିସ ଦେଇପାରେ ।
ବିଜେଡି ସାଂସଦଙ୍କ ନାମ କାହିଁକି ଫଳକରେ ରହିନି । ଏ ନେଇ ବିଡିଓଙ୍କ ଉତ୍ତର ହେଉଛି, ସେ ଏ ନେଇ ଜିଲ୍ଲା ସ୍ତରରେ ପଚାରି ବୁଝିବେ । ଗାଁରେ ପେଭର ବ୍ଲକ ରାସ୍ତା ପାଇଁ ଏ ପର୍ଯ୍ୟନ୍ତ କାର୍ଯ୍ୟାଦେଶ କାହାକୁ ଦିଆଯାଇନାହିଁ । ବରିଷ୍ଠ ରାଜନେତାଙ୍କ ଅଭିଯୋଗ, ଏପରି ପରମ୍ପରା କେବେ ବି ପୂର୍ବ ସରକାର ଅମଳରେ ଦେଖିବାକୁ ମିଳୁ ନଥିଲା । ସାଂସଦ ଓ ବିଧାୟକ ପାଣ୍ଠି ଖର୍ଚ୍ଚ ହୁଏ ଲୋକଙ୍କ ମଙ୍ଗଳ ପାଇଁ । ଏଥିରେ ରାଜନୀତି ଭର୍ତ୍ତି କରିବାର ଯଥାର୍ଥତା କ’ଣ । ବିଜେପି ରାଜ୍ୟରେ କ୍ଷମତାରେ ଥିଲେ ବି ଅନ୍ୟ ଦଳର ସାଂସଦଙ୍କ ସାମ୍ବିଧାନିକ ଦାୟିତ୍ବ ରହିଛି । ବିଜେପିର ହୀନ ଉଦ୍ୟମ ଜନପ୍ରତିନିଧି ବ୍ୟବସ୍ଥାକୁ କଳୁଷିତ କରିଛି ବୋଲି କହିଛନ୍ତି ବରିଷ୍ଠ ରାଜନେତା ।
ସରକାରକୁ ଆସିବା ପରେ ପୂର୍ବ ସରକାରଙ୍କ ୨୧ଟି ଯୋଜନାର ନାମ ପରିବର୍ତ୍ତନ କଲେ ମୋହନ ସରକାର । ସ୍ବଚ୍ଛ ପ୍ରଶାସନର ଦ୍ବାହି ଦେଉଥିବା ଲୋକପ୍ରିୟ ସରକାରର ୫ ମାସ ଭିତରେ ଦୁଷ୍କର୍ମ, ଚାଷୀ ଉତ୍ପୀଡନ ବଢି ଚାଲିଛି । ହେଲେ ପୂର୍ବ ସରକାରର ଜନପ୍ରତିନିଧିଙ୍କ କ୍ରିୟା କର୍ମକୁ ହାଇଜାକ କରିବାକୁ ସୁଚିନ୍ତିତ ଭାବେ ମନଇଚ୍ଛା କାର୍ଯ୍ୟ କରି ଚାଲିଛନ୍ତି ।