କୋଇଲା ରୟାଲଟି ପ୍ରଦାନରେ ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି: ମାନସ ମଙ୍ଗରାଜ
ନନ୍ଦିଘୋଷ ବ୍ୟୁରୋ: କୋଇଲା ରୟାଲଟିରେ ଓଡ଼ିଶା ପାଉନି ହକ । ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି । ଏପରି ଅଭିଯୋଗ କରି ଆଜି ଶୂନ୍ୟକାଳରେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।
ମାନସ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, କୋଇଲା ଉତ୍ପାଦନରେ ନିରନ୍ତର ବୃଦ୍ଧି, ମୁଦ୍ରାସ୍ଫୀତିରେ ବୃଦ୍ଧି, ପରିଚାଳନା ଖର୍ଚ୍ଚରେ ବୃଦ୍ଧି ସତ୍ତ୍ବେ ଗତ ୧୦ ବର୍ଷ ହେଲା କୋଇଲା ରୟାଲଟି ଦର ନିର୍ଣ୍ଣୟ ନେଇ ସଂଶୋଧନ କରାଯାଇନି । ଏହି ବିଳମ୍ବ ସକାଶେ ରାଜ୍ୟ ବାର୍ଷିକ ୧୦ ହଜାର କୋଟି ଟଙ୍କାର କ୍ଷତି ସହୁଛି । ଯାହାଦ୍ବାରା ରାଜ୍ୟର ବିକାଶ ଓ ଜନକଲ୍ଯାଣକାରୀ ବିନିଯୋଗ ପ୍ରଭାବିତ ହେଉଛି ।
ସେ କହିଛନ୍ତି, ଓଡି଼ଶାରୁ କୋଇଲା ଆଣି ଦେଶ ବେଶ ଅର୍ଥ କମାଉଥିବାବେଳେ ଓଡ଼ିଶାକୁ କିନ୍ତୁ ବହୁମୂଲ୍ୟ ଦେବାକୁ ପଡୁଛି । କୋଇଲା ଖଣି ଅଞ୍ଚଳରେ ଲୋକେ ବାୟୁ ପ୍ରଦୂଷଣ, ଜଙ୍ଗଲ ଉଚ୍ଛେଦ, ବିଷାକ୍ତ ପାଣି ସହ ବିସ୍ଥାପନ ସମସ୍ୟା ଭୋଗୁଛନ୍ତି । ତେଣୁ ଦେଶକୁ ଅଧିକ ଅର୍ଥ ଯୋଗାଉଥିବା ଏକ ଖଣିଜ ସମ୍ପଦ ଭରା ରାଜ୍ୟ ଆର୍ଥିକ ଦୃଷ୍ଟିରୁ ପଛୁଆ ରହିବା ଉଚିତ ନୁହେଁ । ତେଣୁ ତୁରନ୍ତ କୋଇଲା ରୟାଲଟି ଦରରେ ସଂଶୋଧନ କରିବାକୁ ସେ ଦାବି କରିଛନ୍ତି । ସେଗୁଡିକୁ ବଜାର ମୂଲ୍ୟ ଓ ମୁଦ୍ରାସ୍ଫୀତି ସହିତ ସଂଯୋଗ କରିବାକୁ ସେ ଦାବି କରିଛନ୍ତି । ଯାହାଦ୍ବାରା ରାଜ୍ୟରେ ନିରନ୍ତର ବିକାଶ ହେବା ସହ ସଂଘୀୟ ବ୍ଯବସ୍ଥା କାଏମ ରହିପାରିବ ବୋଲି ସେ କହିଛନ୍ତି ।

