ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପାର୍ଲାମେଣ୍ଟ ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ପ୍ରତିବାଦରେ ବିଜେଡି ରାଜ୍ୟସଭା ସାଂସଦଙ୍କ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି । ରାଜ୍ୟର ଆଇନ ଶୃଙ୍ଖଳା ବଜାୟ ରଖିବା କ୍ଷେତ୍ରରେ କ୍ଷମତାସୀନ ସରକାର ବିଫଳ ହୋଇଛନ୍ତି । ଏହାସହ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ରାଜ୍ୟରେ ଥିବା କ୍ଷମତାସୀନ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମାନେ ।
ଆଜି ପୂର୍ବାହ୍ନରେ ସାଂସଦ ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଏବଂ ସୁବାଶିଷ ଖୁଣ୍ଟିଆ ପ୍ଲାକାର୍ଡ ଧରି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି କରିଥିଲେ । ରାଜ୍ୟରେ ପ୍ରତ୍ୟେକ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା, ଚୋରି, ଲୁଣ୍ଠନ ଓ ତସ୍କରୀ ଭଳି ଘଟଣା ଉଦବେଗ ଜନକ ହୋଇଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଯୋଗ ନେଇ ନିକଟ ଅତୀତରେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆଙ୍କୁ ପୁରୀରେ ହତ୍ୟା ଧମକ ଦିଆଯାଇଥିଲା । ରାଜ୍ୟକୁ ଠିକରେ ଚଳାଇପାରୁ ନଥିବାରୁ ରାଜ୍ୟରେ କ୍ଷମତାଶୀନ ବିଜେପି ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସାଂସଦମାନେ କହିଛନ୍ତି ।

