ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ

ଭୁବନେଶ୍ବର: ପ୍ରକାଶ ପାଇଛି ବିଜେଡିର ନୂଆ ପ୍ରାର୍ଥୀ ତାଲିକା । ବିଧାନସଭାର ୨୭ ଓ ଲୋକସଭାର ୫ ଆସନ ପାଇଁ ବୁଧବାର ଦିନ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ନାମ ଭିତରେ ୧୩ ନୂଆ ଚେହେରା ଅଛନ୍ତି । ଆସନ୍ତୁ ନଜର ପକାଇବା ବିଧାନସଭା ଓ ଲୋକସଭା ପାଇଁ ପ୍ରଥମଥର ନିମନ୍ତେ କିଏ କିଏ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।

ବିଧାନସଭା ପାଇଁ ଲଢ଼ିବେ ୯ ନୂଆ ମୁହଁ

ବୁଧବାର ଘୋଷିତ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୨୭ ଜଣଙ୍କ ନାମ ଥିବାବେଳେ ଏଥିରେ ଅଛନ୍ତି ୯ ନୂଆ ପ୍ରାର୍ଥୀ । ପ୍ରଥମଥର ପାଇଁ ଏହି ୯ ଜଣ ବିଧାନସଭା ନିର୍ବାଚନ ଲଢ଼ିବେ । ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅଛନ୍ତି ଫୁଲବାଣୀ ଜୟଶ୍ରୀ କହଁର, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ତିର୍ତ୍ତୋଲରୁ ରମାକାନ୍ତ ଭୋଇ, ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ, ରାଜଗାଙ୍ଗପୁରରୁ ଅନୀଲ ବରୁଆ, ଯଶିପୁରରୁ ଚକ୍ରଧର ହେମ୍ବ୍ରମ, ତଳସରାରୁ ଅନୂସୟା ପାତ୍ର, ମୋରଡାରୁ ପ୍ରତିନିନ୍ଦନା କାନୁନଗୋ ଓ ସୋରରୁ ମାଧବ ଧଡ଼ା ।

ଲୋକସଭା ପାଇଁ ବିଜେଡିର ନୂଆ ମୁହଁ

ଲୋକସଭା ପାଇଁ ବିଜେଡି ବୁଧବାର ଦିନ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହାସହ ମୋଟ୍ ପ୍ରାର୍ଥୀଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଏହି ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ପ୍ରଥମଥର ଲାଗି ୪ ପ୍ରାର୍ଥୀ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ବରଗଡ଼ରୁ ପରିଣିତା ମିଶ୍ର, ଭୃଗୁବକ୍ସି ପାତ୍ର, ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ ଏବଂ କେନ୍ଦୁଝରରୁ ଧନୁର୍ଜୟ ସିନ୍ଧୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।