ବିଜେଡିର ନୂଆ ପ୍ରାର୍ଥୀ ତାଲିକାରେ ୯ ମହିଳା

ଭୁବନେଶ୍ବର: ବୁଧବାର ପ୍ରକାଶ ପାଇଛି ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଏହାସହ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି । ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବେଳେ ଯେଭଳି ମହିଳାଙ୍କୁ ଦଳ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଥିଲା ଏଥରକ ମଧ୍ୟ ମହିଳାଙ୍କ ଉପରେ ଭରସା କରି ଟିକେଟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦିଲ୍ଲୀ ପାଇଁ ମଧ୍ୟ ମହିଳା ଯୋଦ୍ଧାଙ୍କ ନାମ ଘୋଷଣା କରାଯାଇଛି । ଲୋକସଭା ପାଇଁ ୨ ଜଣ ମହିଳା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ତଳସରାରୁ ଅନୁସୟା ପାତ୍ର, ମୋରଡାରୁ ପ୍ରିତିନନ୍ଦା କାନୁନଗୋ, ଫୁଲବାଣୀରୁ ଜୟଶ୍ରୀ କହଁର, ଖଲ୍ଲିକୋଟରୁ ସୂର୍ଯ୍ୟମଣୀ ବୈଦ୍ୟ ଓ ଆସ୍କାରୁ ମଞ୍ଜୁଳା ସ୍ବାଇଁ । ବିଧାନସଭାର ଦ୍ବିତୀୟ ପ୍ରାର୍ଥୀ ତାଲିକାରେ ସର୍ବମୋଟ ୭ଜଣ ମହିଳା ପ୍ରାର୍ଥୀଙ୍କ ନାମ ରହିଛି ।

ଅନ୍ୟ ପକ୍ଷରେ ଲୋକସଭା ପାଇଁ ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ୨ ଜଣ ମହିଳାଙ୍କ ନାମ ରହିଛି ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ ଓ ବରଗଡ଼ରୁ ପରିଣିତା ମିଶ୍ର ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ । ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ମୋଟ ୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ, ପୂର୍ବରୁ ଘୋଷିତ ପ୍ରାର୍ଥୀ ତାଲିକାରେ ମଧ୍ୟ ବିଜେଡି ମହିଳାଙ୍କୁ ପ୍ରାଥମିକତା ଦେଇଛି । ବିଜେଡିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୧୨ ଜଣ ମହିଳା ସାମିଲ ଥିଲେ ।