୨୭ ବର୍ଷ : ଆଞ୍ଚଳିକ ଦଳରୁ ଆନ୍ଦୋଳନ

ଭୁବନେଶ୍ବର: ୨୭ ତମ ପ୍ରତିଷ୍ଠା ଦିବସ ପାଳନ କରିଛି ବିଜୁ ଜନତା ଦଳ । ଏହି ଅବସରରେ ସେବା ଓ ବିକାଶର ବାର୍ତ୍ତା ଦେଇଥିବା ବିଜେଡି ପକ୍ଷରୁ ସାଇକେଲ ରାଲି ସହ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଛି । ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସେବା ଓ ବିକଶିତ ଓଡ଼ିଶା ଗଠନ ପାଇଁ ଶପଥ ପାଠ କଲେ ଦଳୀୟ କର୍ମୀ ଓ ନେତା ।

ବର୍ଷ ବର୍ଷ ଧରି ସଫଳତାର ପାହାଚ ଚଢିଚାଲିଛି ବିଜେଡି । ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଥିଲା ନିଆରା । ସକାଳୁ ସକାଳୁ ଶଙ୍ଖ ଭବନରେ ଜମିଥିଲା ନେତାଙ୍କ ଭିଡ଼ । ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ପ୍ରତିଷ୍ଠା ଦିବସ ପାଳଛି ଦଳ । ଏହାକୁ ସେବା ଓ ସମର୍ପଣ ଜରିଆରେ ରାଜ୍ୟବାସୀଙ୍କ ପାଖକୁ ପହଞ୍ଚାଇବାକୁ ଶଙ୍ଖ ଭବନରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ସକାଳ ୭.୨୫ରେ ଶଙ୍ଖ ଭବନରେ ଦଳୀୟ ପତାକା ଉତ୍ତୋଲନ କରିଥିଲେ ଦଳର ବରିଷ୍ଠ ନେତା ଓ କର୍ମୀ । ଦିନ ୧୦.୩୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ନବୀନଙ୍କ ପ୍ରତି ଜୀବନ ମୂଲ୍ୟବାନ ନାରାକୁ ଆହୁରି ବାସ୍ତବ ରୂପ ଦେବା ପାଇଁ ଶଙ୍ଖ ଭବନରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସ୍ବେଚ୍ଛାକୃତ ଭାବେ ଲୋକେ ଯୋଗ ଦେଇ ରକ୍ତଦାନ କରିଥିଲେ । ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ ବିଜେଡିର ହେଭିଓ୍ବେଟ୍ ନେତା । ଦଳର ୨୬ ବର୍ଷ ପୂର୍ତ୍ତି ଅବସରରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ଦିଗରେ ଗତ ମାସେ ହେଲା ରକ୍ତଦାନ ଶିବିର ଜାରି ରଖିଥିଲା ବିଜେଡି । ଓଡ଼ିଶାର ସ୍ବାର୍ଥ ପାଇଁ କାମ କରି ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଠନ ଦିଗରେ କାମ କରିବା ପାଇଁ ବିଜେଡି ନେତା ଓ କର୍ମୀ ଶଙ୍ଖ ଭବନରେ ଶପଥ ପାଠ କରିଥିଲେ ।

ବିଜେଡିର ପ୍ରତିଷ୍ଠା ଦିବସରେ ବିଜୁ ବାବୁଙ୍କ କଟକରୁ ପେଶାଓ୍ବର ଯାଏ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିଚାରଣ କରାଯାଇଥିଲା । ଏହାର ସ୍ମରଣ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ବିରାଟ ସାଇକେଲ ଯାତ୍ରା କରାଯାଇଥିଲା । ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିୂମୂର୍ତ୍ତି ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା କରାଯାଇଥିଲା । କଟକରୁ ନଖରା, ହଂସପାଳ, ରସୁଲଗଡ଼, ବାଣୀବିହାର, ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ରାଜମହଲ ଛକ, ଶିଶୁଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକ ଓ ଏୟାରପୋର୍ଟ ଛକ ଅତିକ୍ରମ କରିଥିଲା ସାଇକେଲ ଯାତ୍ରା । ଶେଷରେ ଭୁବନେଶ୍ବରର ବିମାନ ବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରାଯାଇ ସାଇକେଲ ଶୋଭାଯାତ୍ରା ଶଂଖ ଭବନ ଅଭିମୁଖେ ଗଡ଼ିଥିଲା ।

ଦୁଇ ଦଶନ୍ଧିରୁ ଅଧିକ ବିକାଶ ଓ ସେବାର ମନୋଭାବ ନେଇ ରାଜ୍ୟବାସୀଙ୍କ ପାଇଁ କାମ କରି ଚାଲିଛି ବିଜୁ ଜନତା ଦଳ । ଆଞ୍ଚଳିକ ଦଳ ଭାବେ ବାରମ୍ବାର ଲୋକଙ୍କ ଆଶୀର୍ବାଦ ଲାଭ କରିଛି । ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ଏହି ଦଳର ଏକ ମାତ୍ର ଲକ୍ଷ୍ୟ ହେଉଛି ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି । ରୂପାନ୍ତରିତ ଓଡ଼ିଶା ଗଠନ କରି ବିକଶିତ ଓଡ଼ିଶା ଗଠନ ଦିଗରେ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।