spot_img

Latest Posts

ଏପ୍ରିଲ ୧୯ ତାରିଖରେ ବିଜୁ ଜନତା ଦଳର ସଭାପତିଙ୍କ ନାଁ ଘୋଷଣା ହେବ

ଭୁବନେଶ୍ବର: ଏପ୍ରିଲ ୧୭ ସୁଦ୍ଧା ବିଜେଡି ସାଂଗଠନିକ ପଦ ଗୁଡ଼ିକ ପାଇଁ ନାମାଙ୍କନ ଦାଖଲ ଶେଷ ହେବ। ଯଦି ରାଜ୍ୟ ସଭାପତି ପାଇଁ ବି ଜଣେ ମାତ୍ର ନାମାଙ୍କନ କରିବେ, ତେବେ ଏପ୍ରିଲ ୧୯ ତାରିଖରେ ଔପଚାରିକ ଭାବେ ସଭାପତିଙ୍କ ନାଁ ଘୋଷଣା କରିବେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ । ଏଯାଏ ସହମତି ଭିତ୍ତିରେ ନାମାଙ୍କନ ଦାଖଲ ଚାଲିଛି । ଯେଉଁଠି ସହମତି ହେଉନି, ସେଠାରେ ବି ସମନ୍ଵୟ ରକ୍ଷା କରି ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନିଆଯାଉଛି। ଗତକାଲି ୧୬ ଜଣ ଜିଲ୍ଲା ସଭାପତି ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ । ଆସନ୍ତାକାଲି ସୁଦ୍ଧା ସମସ୍ତ ୩୩ ସାଂଗଠନିକ ଜିଲ୍ଲାରେ ସଭାପତି ପଦ ପାଇଁ ନାମାଙ୍କନ ସରିବ। ଏହା ପରେ ପଞ୍ଚମ ପର୍ଯ୍ୟାୟରେ ଷ୍ଟେଟ କାଉନସିଲ ବଛାଯିବ । ଷଷ୍ଠ ପର୍ଯ୍ୟାୟରେ ଷ୍ଟେଟ ଏକଜିକ୍ୟୁଟିଭ ନିର୍ବାଚନ ସହ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ କରାଯିବ।

ନବମ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ସଭାପତି କରିବାକୁ ନେତାମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥର ବିରୋଧୀ ଆସନରେ ବସିଥିବା ବିଜେଡି ନବୀନଙ୍କ ନେତୃତ୍ଵରେ ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣି ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି। ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବା ସହ ବ୍ଲକ, ପୌର ସଭାପତି ପଦ ପାଇଁ ବି ହେବ ନିର୍ବାଚନ। ରାଜ୍ୟ ସଭାପତିଙ୍କ ଅନୁମୋଦନରେ ଯୁବ, ଛାତ୍ର ଓ ମହିଳା ସାମ୍ମୁଖ୍ୟର ସଭାପତି ଚୟନ କରାଯିବ। ଦଳର ଅନ୍ୟ ପଦ ପାଇଁ ବି ନେତା ବଛା ଯିବ। ଗତ ଥର ସଂଗଠନ ସମ୍ପାଦକ ପରି ନୂତନ ପଦ ସୃଷ୍ଟି କରାଯାଇଥିଲା। ଏଥର ଦଳୀୟ ବାଏ-ଲ ସଂଶୋଧନ ହୋଇ ଆଉ ନୂତନ ପଦ ସୃଷ୍ଟି ହେବ ନା ନାହିଁ, ତାକୁ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ ।

Latest Posts

Don't Miss