ମମିତା ମାମଲାରେ ବିଜେପିର ଦୋମୁହାଁ ନୀତି ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ବି ଚାଲିପାରିଲାନି ଗୃହ । ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବି ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭାର ୭ମ ଦିନରେ ବି ଚାଲିପାରିଲାନି ଗୃହ ।

ଅନ୍ୟପକ୍ଷରେ ବିଜେପିର ଦୋମୁହାଁ ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଜୁ ଜନତା ଦଳ । ବିଧାନସଭା ପରିସରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବର୍ତ୍ତମାନ ବିଜେପିର ସତ ଲୋକଙ୍କ ନଜରକୁ ଆସୁଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମମିତା ପ୍ରସଂଗରେ ରାଜନୀତି କରୁଛି । ଆଗାମୀ ନିର୍ବାଚନରେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ । ସେହିଭଳି ବିଧାୟକ ଅତନୁ ସବ୍ୟସାଚୀ କହିଛନ୍ତି ଯେ, ଆମେ ଦୋଷୀକୁ ଦଣ୍ଡ ଦେବାକୁ ଚେଷ୍ଟା କରୁଛୁ କିନ୍ତୁ ବିଜେପି ମମିତାଙ୍କ ହତ୍ୟା ଅଭିଯୁକ୍ତକୁ କୋଳରେ ବସାଇଛି । ବିଜେପି ଦୋଷୀକୁ ବେଲ୍‌ରେ ଆଣିବାକୁ ବିଜେପି ନେତା କୋର୍ଟରେ ମାମଲା ଲଢ଼ୁଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଖେଳୁଛି ବିଜେପି । ବିଜେପି ପାଖରେ ପ୍ରସଂଗ ନାହିଁ, ତେଣୁ ଏପରି କରୁଛି । ଗୋବିନ୍ଦ ସାହୁକୁ ସୁରକ୍ଷା ଦେବାକୁ ବିଜେପି ଏଭଳି କରୁଥିବା ବିଜେଡି ଅଭିଯୋଗ କରିଛି ।

ସୂଚନା ଯୋଗ୍ୟ ଯେ, ଗତକାଲି ବିଜେଡି ସାମ୍ୱାଦିକ ସମ୍ମିଳନୀ କରି ମମିତା ମାମଲାରେ ବିଜେପି ଦୋମୁହାଁ ନୀତି ଆପଣାଇଥିବା ଅଭିଯୋଗ କରିଥିଲା । ମମିତା ମେହେର ହତ୍ୟା ମାମଲାକୁ ନେଇ ଦୀର୍ଘ ଦିନ ହେଲା ତୁମ୍ବିତୋଫାନ କରୁଛି ବିଜେପି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରିବାକୁ ପଛାଉ ନାହିଁ ବିଜେପି । ହେଲେ ସେପଟେ ମମିତା ହତ୍ୟା ମାମାଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଂଘାତିକ ଷଡ଼ଯନ୍ତ୍ର କରିଥିବା କହିଛି ବିଜେଡି ।

ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍‌ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ାଉଛନ୍ତି । ଏଥିରୁ ବିଜେପି ନେତାଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇଛି । ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଛି ବୋଲି ବିଜେଡି କହିଛି ।

ଏଥିସହିତ ପଢ଼ନ୍ତୁ: ‘ମମିତାଙ୍କୁ ନ୍ୟାୟ ନୁହେଁ ଅଭିଯୁକ୍ତକୁ ଖସାଇବା ଲାଗି ଷଡ଼ଯନ୍ତ୍ର କରୁଛି ବିଜେପି’

Leave a Reply