ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ କାଲି ରାଜଭବନ ଆଗରେ ବିଜେଡିର ଆନ୍ଦୋଳନ, ବିଜେପି ଛାନିଆ
1 min read
ନନ୍ଦିଘୋଷ ବ୍ୟୁରୋ: ଓବିସି ସଂରକ୍ଷଣ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମେଡିକାଲ ଓ ଇଞ୍ଜିନିୟରିଂରେ ଓବିସି ବର୍ଗକୁ ସଂରକ୍ଷଣ ଦାବି କରି ଆସନ୍ତାକାଲି ରାଜଭବନ ଆଗରେ ଆନ୍ଦୋଳନ କରିବ ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, କେନ୍ଦ୍ରରେ ୧୧ ବର୍ଷ ଶାସନ କରିଥିଲେ ବି ପଛୁଆବର୍ଗକୁ ସବୁବେଳେ ଅବହେଳା କରିଛନ୍ତି ବିଜେପି ସରକାର । ଚାପରେ ପଡି ଜାତିଭିତ୍ତିକ ଜନଗଣନା କରୁଛନ୍ତି । ହେଲେ ମେଡିକାଲ ଓ ଇଞ୍ଜିନିୟରିଂରେ କେବେ ଓବିସି ସଂରକ୍ଷଣ ଲାଗୁ କରିବେ ତା’ର ଜବାବ ମାଗି ବିଜେଡି ଆନ୍ଦୋଳନକୁ ଓହ୍ଲାଉଛି । କଂଗ୍ରେସ ମଧ୍ୟ ବିଜେପି ପରେ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ସେପଟେ ଚାପରେ ଚେପା ବିଜେପି ବିଳିବିଳେଇ ହୋଇ କହିଛି ଓବିସି ପ୍ରସଙ୍ଗରେ ଆନ୍ଦୋଳନ କରିବାର ଅଧିକାର ବିରୋଧୀଙ୍କର ନାହିଁ ।
ତରବରିଆ ଭାବେ ସଂରକ୍ଷଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର l ଯେଉଁଠି ସିଟ ଖାଲି ପଡୁଛି, ସେଠି ସଂରକ୍ଷଣ ଦେଲେ l ଓବିସି ଛାତ୍ରଛାତ୍ରୀଙ୍କୁ ମେଡିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ସରଂକ୍ଷଣ କେବେ ? ଏହି ଦାବି ନେଇ ବୁଧବାର ରାଜଭବନ ଆଗରେ ଆନ୍ଦୋଳନ କରିବ ବିଜେଡି । ଓଡିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତିରେ କାହିଁକି ରାଜ୍ୟ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ଧୋକା ଓ ପ୍ରବଞ୍ଚନା ଦେଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ସେହିପରି ଶିକ୍ଷା କ୍ଷେତ୍ରରେ SC/STଙ୍କୁ ମଧ୍ୟ ଉଚିତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି । ଯାହାକୁ ନେଇ ଶାସକ ବିଜେପି ଚେଇଁ ଉଠିବା ପରେ ବିଜେପିକୁ ଘେରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ମୁଁ ଖୁସି ଆଜି ବିଜେଡି ଡାକରାକୁ ବିଜେପି ଗ୍ରହଣ କରିଛି । କେନ୍ଦ୍ରରେ ୧୧ ବର୍ଷ ଶାସନ କରିଥିଲେ ବି ପଛୁଆବର୍ଗକୁ ସବୁବେଳେ ଅବହେଳା କରିଛି ବିଜେପି । ୟୁଜି, ପିଜିରେ ସିଟ୍ ଖାଲି ପଡୁଛି । ସେଠାରେ ସଂରକ୍ଷଣ ଦେବାର ମାନେ କ’ଣ ବୋଲି ମନମୋହନଙ୍କୁ ପ୍ରଶ୍ନ କରିଛି ବିଜେଡି । ସେପଟେ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ବିଜେଡି ଓ କଂଗ୍ରେସର ଓବିସି ନେଇ ଆନ୍ଦୋଳନ କରିବାର ଅଧିକାର ନାହିଁ ।
ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରେସମିଟ କରିବା ପରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ ଦଳର ନେତା । କାହିଁକି ପଛୁଆ ବର୍ଗମାନଙ୍କୁ ଅବହେଳା କରୁଛି ବିଜେପି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ଗୋଟିଏ ପରେ ଗୋଟିଏ ବିଧାୟକ । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି ରାଜ୍ୟ ସରକାର ପଛୁଆ ବର୍ଗର ପିଲାଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରୁ ବଞ୍ଚିତ କରୁଥିବାରୁ ଦଳ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ସେହିପରି ସଂରକ୍ଷଣ ପ୍ରସଙ୍ଗକୁ ନେଇ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ଚାପରେ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ।
ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିକୁ ନେଇ ବିଜେଡି ତାର ସ୍ବରକୁ ଶାଣିତ କରିଛି । ରାଜଭବନ ଆଗରେ ଆସନ୍ତାକାଲି ଆନ୍ଦୋଳନ କରି ଦଳ ବିଜେପି ସରକାର ଉପରେ ଚାପ ସୃଷ୍ଟି କରିବ । ଯାହାର ସଂଖ୍ୟା ଯେତେ ତାହାର ଭାଗ ସେତେ ନ୍ୟାୟରେ ସମାନତା ଆଣିବାକୁ ସ୍ବର ଉଠାଇଛି ବିଜେଡି ।