ଏସଆଇ ପରୀକ୍ଷା ବିଭ୍ରାଟ, ଗର୍ଜିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି । ଗତକାଲି ବାତିଲ ପୋଲିସ ସବ ଇନିସପେକ୍ଟର ପରୀକ୍ଷାରେ କୋଟି କୋଟିର ଡିଲ ହୋଇଛି । କଥାକୁ ଚାପି ଦେବାକୁ ବସିଥିବାବେଳେ ସାମ୍ନାକୁ ଆସିଯିବାରୁ ସରକାର ଗୁଣିଆ ହୋଇ ଡାଆଣୀ ଛଡାଇବା କାମ କରୁଛନ୍ତି । ଏହି ଆନ୍ତଃରାଜ୍ୟ ରାକେଟରେ ବହୁ ବଡ଼ ପଣ୍ଡା ସାମିଲ ଅଛନ୍ତି । ସେମାନଙ୍କୁ ଘୋଡାଇବା ପାଇଁ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ସରକାର ଏଥିରେ ସାମିଲ ଥାଇ କିପରି କ୍ରାଇମବ୍ରାଞ୍ଚ ତଦନ୍ତରୁ ଫଳ ବାହାରିବ ବୋଲି ପ୍ରଶ୍ନ କରିଛି ବିଜୁ ଯୁବ ଜନତା ଦଳ । ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଏହାର ପ୍ରତିବାଦ କରି ସିବିଆଇ ତଦନ୍ତ ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ଏଥିରେ ସାମିଲ ବଡ଼ ପଣ୍ଡା ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହେଲା ପର୍ଯ୍ୟନ୍ତ ବିଜେଡି ଚୁପ ବସିବନି । ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ପୂଜା ପରେ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ପ୍ରତିବାଦ ଓ ଆନ୍ଦୋଳନ କରିବ ବୋଲି ଚିନ୍ମୟ ଚେତାବନୀ ଦେଇଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ନୂଆ ସ୍ଲୋଗାନ ଆସିଛି ଟଙ୍କା ଦିଅ ଚାକିରି ନିଅ । ଟଙ୍କା ନେଇ ବିଜେପି ନେତା ଚାକିରି ବିକୁଛନ୍ତି । ଏହାଦ୍ବାରା ମେଧାବୀଙ୍କ ମାନସିକ ସ୍ଥିତି କଣ ଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । କିପରି ଏକ କଳା ତାଲିକା ଭୁକ୍ତ ସଂସ୍ଥାକୁ ନିଯୁକ୍ତି ଲାଗି ଆଉଟସୋର୍ସିଂ କଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।