ବିଜେପି ବିଧାୟକଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କୁ ନେଇ ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ମହିଳା ବିଜୁ ଜନତା ଦଳ । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ରକୁ ନେଇ ସନ୍ତୋଷ ଦେଇଥିବା ବିବାଦୀୟ ବୟାନକୁ ନେଇ ବିଜେପି କି ପୋଲିସ କେହି ବି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଏହା ବିରୋଧରେ ବିରାଟ ପଟୁଆରେ ଆସି ମହିଳା ବିଜେଡି ପକ୍ଷରୁ ସନ୍ତୋଷଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସନ୍ତୋଷଙ୍କ ଗିରଫଦାରୀ ସହ ବିଜେପିରୁ ବହିଷ୍କାର ଦାବି କରିଛି ବିଜେଡି ।
ଗଣମାଧ୍ୟମ ଆଗରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଚରିତ୍ର ସଂହାର କଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଏହା ବିରୋଧରେ ମହିଳା ଥାନାରୁ ଆରମ୍ଭ କରି ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି । ବିଭିନ୍ନ ସ୍ଥାନରେ ପ୍ରତିବାଦ ବି ହେଲା । ଜାତୀୟ ଗଣମାଧ୍ୟମରେ ବିଜେପି ବିଧାୟକଙ୍କ ଏହି ଆଚରଣକୁ ନିନ୍ଦା କରାଗଲା । ହେଲେ ବିଧାୟକ ସନ୍ତୋଷ ଖଟୁଆଙ୍କ ଏଥିପ୍ରତି ଖାତିର ନାହିଁ । କାରଣ ପୋଲିସ କି ବିଜେପି, କେହି ବି ସନ୍ତୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଏହା ବିରୋଧରେ ଆଜି ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଥିଲା ମହିଳା ବିଜୁ ଜନତା ଦଳ । ଦଳର ବରିଷ୍ଠ ନେତ୍ରୀ ଓ କର୍ମୀମାନେ ବିରାଟ ପଟୁଆରେ ସରକାର ଓ ବିଜେପି ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ବିଜେଡି ପକ୍ଷରୁ ବିରୋଧ ଶୋଭାଯାତ୍ରା କରାଯାଇଥିଲା । ଶେଷରେ ମାଷ୍ଟର କ୍ୟାଣ୍ଟିନ ଛକରେ ସନ୍ତୋଷଙ୍କ କୁଶପୁତ୍ତଳିକା ଜାଳି ପ୍ରତିବାଦକୁ ଆହୁରି ଶାଣିତ କରିଥିଲା ବିଜେଡି । ସନ୍ତୋଷଙ୍କୁ ଗିରିଫ କରିବା ସହ ବିଧାୟକ ଓ ବିଜେପି ସଦସ୍ୟତାରୁ ବହିଷ୍କାର ନ କରାଗଲେ, ଆଗାମୀ ଦିନରେ ପୁରପଲ୍ଲୀରେ ଆନ୍ଦୋଳନ କରିବାକୁ ବିଜେଡି ଚେତାବନୀ ଦେଇଛି । ସେପଟେ ନିଜ ସୁରକ୍ଷା ନେଇ ପୋଲିସର ଦ୍ବାରସ୍ଥ ହୋଇଥିବା ଲେଖାଶ୍ରୀଙ୍କୁ ନେଇ ବି ଦେଖା ଦେଇଛି ପ୍ରଶାସନିକ ଉଦାସୀନତା । ବିଜେପିରେ ଥିବା ମହିଳାଙ୍କ ପ୍ରତି ବି ଦଳ ଓ ପ୍ରଶାସନର ଏପରି ଆଚରଣ ରହିବ କି ବୋଲି ପ୍ରଶ୍ନ କରିଛି ବିଜେଡି ।
ସନ୍ତୋଷ ଖଟୁଆଙ୍କ ବିରୋଧରେ ବିଜେଡି ମହିଳା ଥାନାରେ ବି ଏତଲା ଦେଇଛି । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ସେହିପରି ରାଜ୍ୟ ମହିଳା କମିଶନଙ୍କ ଅଫିସରେ ବି ବିଜେଡି ଫେରାଦ ହୋଇଥିଲା । ହେଲେ ସରକାରଙ୍କୁ ବର୍ଷେ ପୂରିବା ପରେ ବି ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି ହୋଇ ପାରିଲା ନାହିଁ । ସରକାରୀ ଦଳ ଛତ୍ରଛାୟାରେ ଥିବାରୁ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ନିଜକୁ ଆଇନ ଉପରେ ବୋଲି ଭାବୁଥିବା ବିଜେଡି ଅଭିଯୋଗ କରିଛି । ଏହି ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ଏକତରଫା ମନୋଭାବ ଯୋଗୁଁ ନ୍ୟାୟର ଆଶା ରଖି ପାରିନି ବିଜେଡି ।
ବିଜେପି ସରକାର ଆସିବାର ପ୍ରଥମ ଆଠ ମାସରେ ନାରୀ ବିରୋଧୀ ଅପରାଧ ପିକରେ ଥିଲା । ଏହି ସମୟ ଭିତରେ ୧୮ ହଜାର ୧ଟି ମହିଳା ବିରୋଧୀ ମାମଲା ରିପୋର୍ଟ ହୋଇଥିଲା । ଯଦି ସେ ସମୟରେ ସରକାର ତଦନ୍ତକୁ ଦିଗହରା କରି ନଥାନ୍ତେ, ଏହି ତାଲିକା ବଢି ନଥାନ୍ତା କି ବିଜେପି ବିଧାୟକ ବି ମହିଳାଙ୍କୁ ଅପମାନ କରିବାର ସାହସ କରି ପାରି ନଥାନ୍ତେ ବୋଲି ଚର୍ଚ୍ଚା ଜୋର ଧରିଛି ।