ନିର୍ବାଚନ ରାଲିରେ ଛୋଟ ଶିଶୁଙ୍କୁ ସାମିଲ କରୁଛି ବିଜେପି; ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବିଜେପି ପ୍ରାର୍ଥୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି। ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପାତିସୁନାପୁର ଗାଁରେ ମନୋରଞ୍ଜନ ଦ୍ଯାନସାମନ୍ତରାୟ ଏବଂ ତାଙ୍କ ପତ୍ନୀ ମୀନା ଦ୍ଯାନସାମନ୍ତରାୟ ନିର୍ବାଚନ ରାଲି କରିବା ସହ ଛୋଟ ଶିଶୁ ମାନଙ୍କୁ ସେଥିରେ ସାମିଲ କରିଥିଲେ।

ଏହାସହ ଶିଶୁମାନଙ୍କ ହାତରେ ଦଳୀୟ ପତାକା ଧରାଇ ସେମାନଙ୍କ ସହ ନିଜେ ପ୍ରାର୍ଥୀ ନାଚିଥିଲେ। ବର୍ତ୍ତମାନ ରାଜ୍ୟରେ ୪୦ ଡିଗ୍ରୀ ଖରା ଜାରି ରହିଥିବା ବେଳେ ନିର୍ବାଚନ ରାଲିରେ ପିଲାମାନଙ୍କୁ ସାମିଲ କରିଛନ୍ତି ନିଜେ ବିଜେପି ବିଧାୟକ ପ୍ରାର୍ଥୀ। ସେହିଭଳି ପୂର୍ବରୁ କେନ୍ଦ୍ରାପଡାରେ ମଧ୍ୟ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରଚାର ରାଲିରେ ଛୋଟ ଛୁଆମାନଙ୍କୁ ସାମିଲ କରିଥିଲେ। ଏହାର ପ୍ରମାଣ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ମୁଖପାତ୍ର ଲେଲିନ୍ ମହାନ୍ତି, ସ୍ବୟଂପ୍ରକାଶ ମହାପାତ୍ର, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ପ୍ରିୟବ୍ରତ ମାଝୀ, ଓମପ୍ରକାଶ ସାହୁ, ତୁମ୍ଭନାଥ ପଣ୍ଡା ପ୍ରମୁଖ ସିଇଓଙ୍କୁ ଭେଟି ଫେରାଦ ହୋଇଛନ୍ତି।