ରାଜ୍ୟ ନିର୍ବାଚନ କମିଶନକୁ ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ନିନ୍ଦନୀୟ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ ମହାନ୍ତି କହିଛନ୍ତି ଯେ କ୍ରମାଗତ ଭାବରେ ନିଜର ଅହଂକାର ଯୋଗୁଁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଓଡିଶାବାସୀଙ୍କ ଦ୍ୱାରା ପରାସ୍ତ ପରେ ମଧ୍ୟ କିଛି ଶିଖିପାରିଲା ନାହିଁ ।

୨୦୧୯ରୁ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ଓଡିଶାବାସୀ ବିଜେଡିକୁ ଜୟଯୁକ୍ତ କରିଛନ୍ତି । ଏପରିକି ୨୦୧୯ ନିର୍ବାଚନରେ ବିଜେପି ଜିଣିଥିବା ନିର୍ବାଚନମଣ୍ଡଳୀରେ ମଧ୍ୟ ତାକୁ ପରାଜୟର ରାସ୍ତା ଦେଖାଇଛନ୍ତି । ଆମେ ଆଶା କରୁଛୁ ଯେ ଓଡିଶା ବିଜେପି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଜାତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ଅନୁଷ୍ଠାନଗୁଡିକୁ ସମ୍ମାନ ଦେବା ଶିଖୁ । ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିଜର ମତ ରଖିପାରିବେ ।

ତାହା ନକରି ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ଅନୁଷ୍ଠାନକୁ ଅସମ୍ମାନ କରିବା ଓ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ୍‍ ନୁହେଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି, ସେ ପଞ୍ଚାୟତ, ପୌର କିମ୍ବା ସାଧାରଣ ନିର୍ବାଚନ ହେଉ । କାରଣ ଆମେ ନିର୍ବାଚନ ପାଇଁ ନୁହେଁ, ଲୋକଙ୍କ ପାଇଁ କାମ କରୁ ଏବଂ ଓଡିଶାବାସୀ ଆମ ଭଲ କାମ ପାଇଁ ଆମକୁ ପ୍ରତ୍ୟେକଟି ନିର୍ବାଚନରେ ଆର୍ଶୀବାଦ କରି ଜୟଯୁକ୍ତ କରାଉଛନ୍ତି ବୋଲି ଲେନିନ କହିଛନ୍ତି ।

Leave a Reply