ଶ୍ରୀଜଗନ୍ନାଥଙ୍କ ପରିଚୟକୁ ବିକୃତ କରୁଥିବା ବ୍ୟକ୍ତି ହିସାବରେ ଲେଖାଶ୍ରୀ ରେକର୍ଡ କରିବେ: ବିଜେଡି

1 min read
BJD Spokesperson Targeted BJP's Lekhashree Over Lord Jagannath Land Remark

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କର ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି । ରାଜନୀତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଲେଖାଶ୍ରୀ ସାମନ୍ତସିଂହାର ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ପ୍ରକୃତ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍‌ସିତା ସାହୁ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ

ସୁଶ୍ରୀ ସାହୁ କହିଛନ୍ତି- ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇ ଆସୁଛନ୍ତି । ଯଦି ସେ ଏସବୁ ପିପିଲି ଉପନିର୍ବାଚନରେ ନିର୍ବାଚନୀ ଟିକେଟ୍ ଆଶାରେ କହୁଥାନ୍ତି, ତା’ହେଲେ ସେ ଜାଣିରଖିବା ଉଚିତ୍ ଯେ, ପିପିଲିର ଜନତା କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ଗ୍ରହଣ କରିବେ ନାହିଁ । ଲେଖାଶ୍ରୀ ବୁଝିବା ଦରକାର ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଥିଲା । ଯେଉଁ ସମୟରେ ଭାରତୀୟ ଜନତା ପାର୍ଟିର ନେତା ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ । ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ । ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ପାଇଁ ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ସେଥିପାଇଁ ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଟିକେଟ୍ କେବେ ହେଲେ ତାଙ୍କୁ ମିଳିବ ନାହିଁ । ଆଶା କରିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିବେ ଓ ମିଛ ତଥ୍ୟ ପାଇଁ ଅନୁତପ୍ତ ହେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି । କିଛିମାସ ତଳେ ସମ୍ବିତ ପାତ୍ରଙ୍କ ଲାଗି ମହାପ୍ରଭୁ ଜଗନ୍ନାଥଙ୍କୁ ଓ ପୁରୀକୁ ସମସ୍ତେ ଚିହ୍ନିଲେ ବୋଲି ଲେଖାଶ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ ।

Leave a Reply