ମୁମ୍ଵାଇରୁ ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର : ମୁମ୍ଵାଇରୁ ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ଵର ବିମାନ ବନ୍ଦରରେ ଭରପୂର ସ୍ଵାଗତ ଜଣାଇଛନ୍ତି ବିଜେଡି ନେତା ଓ କର୍ମୀମାନେ । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କର୍ମୀ, ନେତା ଓ ଜନତାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସାରା ରାଜ୍ୟବାସୀ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଜୁନ ୨୨ ତାରିଖରେ ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସଫଳତାର ସହ ହୋଇଥିଲା ନବୀନ ପଟ୍ଟନାୟକଙ୍କର ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ। ଏଥିପାଇଁ ସେ ଜୁନ୍ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ । ନବୀନଙ୍କ ସ୍ବାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପ୍ରଚାର କରିଥିଲେ । ଗତ ୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ । ସାରା ରାଜ୍ୟରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କରାଯାଇଥିଲା । ଓଡ଼ିଶାବାସୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁସ୍ଥତା କାମନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଥିଲା । ଦୀର୍ଘ ବର୍ଷର ଶାସନ ସମୟରେ ହେଉ କିମ୍ବା ବିରୋଧୀ ଦଳ ନେତା ଭାବେ ସବୁଠି ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରି ଆସିଛନ୍ତି । ଆଧୁନିକ ଓଡି଼ଶାର ବିକାଶ ପୁରୁଷ ଭାବରେ ନବୀନଙ୍କୁ ଦେଖନ୍ତି ଓଡ଼ିଶାବାସୀ । ଏହି ମହାନ ବ୍ୟକ୍ତିତ୍ବଙ୍କ ସୁସ୍ଥତା ଖବର ଶୁଣି ରାଜ୍ୟବାସୀ ଖୁସି ହୋଇଛନ୍ତି ।