ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନର ପ୍ରଚାର ମଇଦାନରେ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୩ ଓ ୭ ତାରିଖରେ ସେ ନୂଆପଡ଼ା ଯାଇ ପ୍ରଚାର କରିବେ। ଏହାକୁ ନେଇ ଜୋସ୍ ରେ ଦଳର କର୍ମୀ। ବିଜେଡିରେ ଉତ୍ସାହ ଭରି ଦେଇଛି ଏହି ଖବର। ନବୀନ ପଟ୍ଟନୟକ ସୋସିଆଲ ମିଡିଆରେ ଲେଖିଛନ୍ତି, ବିଜୟ ହେବ ନୂଆପଡ଼ାର। ଆରମ୍ଭ ହେବ ନୂଆ ଧାରା ସେବା ଓ ବିକାଶର। ତାଙ୍କର ଏହି ବାର୍ତ୍ତା ପରେ କର୍ମୀଙ୍କ ଜୋସ୍ ହୋଇ ଯାଇଛି ଦୁଇ ଗୁଣା କାରଣ ଯେଉଁଠି ନବୀନ ଠିଆ ହୋଇ ଯାଆନ୍ତି, ସେଠାରେ ବିଜେଡିର କ୍ରେଜ୍ ବଢ଼ିଯାଏ। ନବୀନଙ୍କ ଆଗରେ ବିରୋଧୀଙ୍କ କୌଣସି କୌଶଳ କାମ ଦିଏନି। ଏଥର ମଧ୍ୟ ସେ ବିଜେପି ଓ କଂଗ୍ରେସର ଖେଳ ବିଗାଡ଼ିବେ ବୋଲି କୁହାଯାଉଛି । ନବୀନ ପଟ୍ଟନାୟକଙ୍କ ପ୍ରଥମ କାର୍ଯ୍ୟକ୍ରମ ରହିଛି କୋମନାରେ। ଏକ ସାଧାରଣ ସଭାରେ ସେ ଯୋଗ ଦେବେ। ତାଙ୍କୁ ଦେଖିବା ପାଇଁ ସମସ୍ତେ ବେଶ୍ ଉତ୍ସାହିତ। ନୂଆପଡ଼ାର ବିକାଶରେ ନବୀନ ବାବୁ ପ୍ରତ୍ୟକ୍ଷ ଭାବରେ ଜଡ଼ିତ। ତେଣୁ ଜିଲ୍ଲାବାସୀ ସେମାନଙ୍କର ପ୍ରିୟ ନେତାଙ୍କୁ ପାଖରୁ ଦେଖିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।
ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ଓ ନୂଆପଡ଼ା ପ୍ରତି ରାଜୁଭାଇ ଢୋଲକିଆଙ୍କ ଉତ୍ସର୍ଗ, ପରିଶ୍ରମ ଏହି ଅଞ୍ଚଳର ବିକାଶକୁ ନୂଆ ଦିଗ ଦେଇଥିଲା। ତୃଣମୂଳସ୍ତରରେ ରାଜେନ୍ଦ୍ର ଢୋଲକିଆଙ୍କ ଦବଦବା ରହିଥିଲା। କାରଣ ସେ ସବୁବେଳେ ଲୋକଙ୍କ ସହିତ ଥିଲେ। ଉପନିର୍ବାଚନ ପାଇଁ ଦୁଇ ଦିନ ପ୍ରଚାର କରିବେ ନବୀନ ପଟ୍ଟନାୟକ। ତେଣୁ ନେତା କର୍ମୀ ଓ ସାଧାରଣ ଲୋକେ ବେଶ୍ ଖୁସି । ଶଙ୍ଖ ଚିହ୍ନକୁ ବିପୁଳ ପରିମାଣରେ ଭୋଟ ଦେଇ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜୟଯୁକ୍ତ କରାଇବେ ବୋଲି କହିଛନ୍ତି ନୂଆପଡ଼ା ଭୋଟର୍।
ନୂଆପଡ଼ା ବାଇଇଲେକସନକୁ ଆଉ ମାତ୍ର ୧୧ ଦିନ। ପ୍ରଚାର ସରିବ ୯ ତାରିଖ ସଂଧ୍ୟାରେ । ତେଣୁ କ୍ୟାମ୍ପେନିଂ ପାଇଁ ହାତରେ କେବଳ ୧୦ ଦିନ। ଯେତିକି ସମୟ ଅଛି, ତାର ସଦୁପଯୋଗ କରି ପ୍ରାଣମୂର୍ଚ୍ଛା ପ୍ରଚାରରେ ମାତିଛନ୍ତି ସବୁ ପ୍ରାର୍ଥୀ। ଦଳୀୟ ହୁଅନ୍ତୁ ବା ନିର୍ଦ୍ଦଳୀୟ ପ୍ରାର୍ଥୀ, ସମସ୍ତେ ନିଜର ଦଳ ବଳ ପାଟ ପଟୁଆର ନେଇ କରୁଛନ୍ତି କ୍ୟାମ୍ପେନିଂ। କେତେବେଳେ ସଭା ସମିତି, ତ କେତେବେଳେ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ସେମାନେ। ସମସ୍ତଙ୍କର ଭାଗ୍ୟ ପରୀକ୍ଷା ହେବ ଆସନ୍ତା ୧୧ ତାରିଖରେ। ଫଳ ବାହାରିବ ୧୪ରେ ।

