ଧର୍ମେନ୍ଦ୍ରଙ୍କ ପାଇଁ ରାଜନୀତି ଆଗ, ଓଡ଼ିଶା ପଛ: ସସ୍ମିତ

ଭୁବନେଶ୍ବର: ରାଜନୈତିକ ସ୍ୱାର୍ଥ ଚରିତାର୍ଥ ପାଇଁ ଓଡିଶାକୁ ବଦନାମ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ସଫଳତାକୁ କେବେ ପ୍ରଶଂସା କରିନାହାନ୍ତି ଧର୍ମେନ୍ଦ୍ର । ରାଜ୍ୟର ସଫଳତାରେ ବିବ୍ରତ ହୋଇପଡିଛନ୍ତି ରାଜ୍ୟ ବିଜେପି ନେତା । ଧର୍ମେନ୍ଦ୍ରଙ୍କ ପାଇଁ ରାଜନୀତି ଆଗ, ଓଡିଶା ପଛ । ଓଡିଶା ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଅଭ୍ୟାସଗତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗ କରି ଓଡିଶାକୁ ବଦନାମ କରୁଛନ୍ତି । ଏଭଳି ଭାବେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଓଡିଶା ଯେତେ ବେଳେ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରିଥିଲା, ବିତ୍ତୀୟ ପରିଚାଳାନା ଓ ଋଣହାର ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନ ହାସଲ କରିଥିଲା, ସେତେ ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓଡିଶାକୁ ପ୍ରଶଂସା କରିଥିଲା । ଏକାଧିକ ରୂପାନ୍ତରଣ କାର୍ଯ୍ୟ ହେଉ ବା ବିପର୍ଯ୍ୟୟ ମୁକାବିଲା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପ୍ରଶଂସିତ ହୋଇଛି  । ହେଲେ ଓଡିଶା ବିଜେପିର ନେତା ଏବଂ ଧର୍ମେନ୍ଦ୍ର ପ୍ରଧାନ କେବେ ଏସବୁ ଉପଲବ୍ଧିକୁ ପ୍ରଶଂସା କରି ନଥିଲେ । ସେମାନଙ୍କ ପାଇଁ ରାଜନୀତି ପ୍ରଥମ, ଓଡିଶା ପଛ । ସବୁବେଳେ ସେମାନେ ଚେଷ୍ଟା କରିଥାଆନ୍ତି କେମିତି ତଥ୍ୟକୁ ଗୋଳମାଳିଆ କରି ଉପସ୍ଥାପନ କରିବେ । ଓଡିଶାକୁ ବଦନାମ କରିବେ । ଯେତେବେଳେ ପୁରା ଓଡିଶା, ରାଜ୍ୟରେ ଚାଲିଥିବା ଭଲ କାର୍ଯ୍ୟ ପାଇଁ ଗର୍ବ କରୁଛି ସେତେବେଳେ ଧର୍ମେନ୍ଦ୍ର ପ୍ରଧାନ ବିବ୍ରତ ହୋଇ ପଡୁଛନ୍ତି । ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାକୁ ବଦନାମ କରୁଛନ୍ତି । ଏଭଳି ହୀନ ରାଜନୀତି ପାଇଁ ଅତୀତରେ ଓଡିଶାବାସୀ ସେମାନଙ୍କୁ ଉଚିତ୍ ‌ଜବାବ ଦେଇଥିଲେ । ଆଗକୁ ମଧ୍ୟ ଉଚିତ ଜବାବ ଦେବେ ବୋଲି ସସ୍ମିତ ପାତ୍ର କହିଛନ୍ତି ।