ନାବାଳିକାକୁ ବିଜେପି ନେତାଙ୍କ ପୁଅ ଗର୍ଭବତୀ କରିବା ଘଟଣା: ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ଭେଟିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ବୋରିଗୁମ୍ମା ବ୍ଲକ ଜୟପୁର ସଦର ଥାନା ଅଞ୍ଚଳରେ ୧୬ ବର୍ଷୀୟ ନାବାଳିକାକୁ ବିଜେପି ନେତାଙ୍କ ପୁଅ ଗର୍ଭବତୀ କରିବା ଘଟଣା । ପୀଡ଼ିତାଙ୍କ ସମ୍ପର୍କୀୟ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଲା ବିଜେଡିର ଫ୍ୟାକ୍ଟ ଫାଇଡିଂ ଟିମ୍ । ବିଜେପି ନେତାଙ୍କ ପୁଅ ହୋଇଥିବାରୁ ସଂପୃକ୍ତ ନାବାଳିକାକୁ ଆତଙ୍କିତ କରି ବାରମ୍ବାର ଦୁଷ୍କର୍ମ କରିଥିଲା ସଂପୃକ୍ତ ଯୁବକ । ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ହେବାରୁ ମାମଲାକୁ ଗୁରୁତର ସହ ନେଇଛି ବିଜେଡି । ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ଭେଟିଛନ୍ତି । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ କୋରାପୁଟ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛି ବିଜେଡି ଚିମ୍ ।  ନାବାଳିକା ଜଣକ ଦୁଷ୍କର୍ମର ଶିକାର ହେବାପରେ  ଗର୍ଭବତୀ ହୋଇଥିବା ନେଇ ମେ’ ୨୨ ତାରିଖରେ ଜୟପୁର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ପୋଲିସ ଘଣ୍ଟା ଘୋଡାଉଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲାରେ ବାରମ୍ବାର ଆଦିବାସୀ ଯୁବତୀ ନାବାଳିକାକୁ ଦୁଷ୍କର୍ମ କରାଯାଉଥିବା ବେଳେ ୪ଟି ଦୁଷ୍କର୍ମ ଘଟଣା ଘଟିଛି । ହେଲେ ରାଜ୍ୟ ସରକାର ଓ ରାଜ୍ୟ ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।