ସାର ଅଭାବ ନେଇ ସାରା ରାଜ୍ୟରେ ଚାଷୀ ହନ୍ତସନ୍ତ: ରାଜ୍ୟପାଳଙ୍କୁ ବିଜେଡିର ଫେରାଦ

ସାର ସଂକଟକୁ ନେଇ ବିଧାନସଭା ହୁଲସ୍ତୁଲ । ସାରା ରାଜ୍ୟରେ ସାର ଅଭାବ ନେଇ ଚାଷୀ ହନ୍ତସନ୍ତ । ହେଲେ ସାର ସମସ୍ୟା ନେଇ ଗୃହରେ ସ୍ବତନ୍ତ୍ର ଆଲୋଚନାକୁ ଡରୁଛନ୍ତି ସରକାର । ଗତକାଲିଠୁ କଂଗ୍ରେସ ସାର ସଂକଟ ନେଇ ଗୃହରେ ମୁଲତବୀ ଆଲୋଚନା ଦାବିକୁ ଗ୍ରହଣ କରିଛନ୍ତି ବାଚସ୍ପତି। କିନ୍ତୁ ମୁଖ୍ୟ ବିରୋଧୀ ଦଳ ବିଜେଡି ସାର ସଂକଟ ନେଇ ଗୃହର ସବୁ କାର୍ଯ୍ୟ ବାତିଲ କରି ସାର ଉପରେ ସ୍ବତନ୍ତ୍ର ଆଲୋଚନା ପାଇ ଦାବି କରିଆସୁଛି। ଯାହାକୁ ନେଇ ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେଡି ବିଧାୟକ ମାନେ ଗୃହରେ ନାରାବାଜି କରିବା ସହିତ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ଏହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ଅପରାହ୍ନ ଅଧିବେଶନ ଆରମ୍ଭ ହେବାମାତ୍ରେ ସମାନ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ଆଲୋଚନା ଦାବି କରି ହଟ୍ଟଗୋଳ କରିଥିଲେ । ହେଲେ ବାଚସ୍ପତି ଗୃହକୁ ସୋମବାର ଯାଏ ମୁଲତବୀ ରଖିଛନ୍ତି । ଗୃହ ମୁଲତବୀ ପରେ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସାର ସଂକଟ ନେଇ ସରକାର ଆଲୋଚନାକୁ ପଛଘୁଞ୍ଚା ଦେଉଥିବା ନେଇ ସ୍ମାରକପତ୍ର ପ୍ରଦାନ କରିଛି । ଗତକାଲି ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟ ବିରୋଧୀ ଦଳର ଦାବି ଗ୍ରହଣ ନହେବାରୁ ଗୃହକାର୍ଯ୍ୟ ଅଚଳ ହୋଇଥିଲା ।