ଗାନ୍ଧୀ ଜୟନ୍ତୀରୁ ବିଜେପି ସରକାରଙ୍କ ବିଫଳତା ଘରେ ଘରେ ପହଞ୍ଚାଇବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ସରକାରଙ୍କ ବିଫଳତାକୁ ଗାନ୍ଧୀ ଜୟନ୍ତୀରୁ ଘରେ ଘରେ ପହଞ୍ଚାଇବ ବିଜେଡି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଦଳ ଆରମ୍ଭ କରିବ ପଦଯାତ୍ରା । ନାରୀ ନିର୍ଯାତନା, ମହାନଦୀ, ପୋଲାଭରମ ଭଳି ପ୍ରସଙ୍ଗରେ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଲମ୍ବା ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ ମାଧ୍ୟମରେ ଅକ୍ଟୋବର ୨ରୁ କଂଗ୍ରେସ ବର୍ଷେ ବ୍ୟାପୀ ପଦଯାତ୍ର କରିବାକୁ ଅଣ୍ଟା ଭିଡିଛି । ସେପଟେ ବିଜେପିର ତ୍ରିରଙ୍ଗା ପଦଯାତ୍ରା ଜାରି ରହିବ ବୋଲି ଦଳ କହିଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨  ଗାନ୍ଧୀ ଜୟନ୍ତୀରୁ ବିଜେଡି ପଦଯାତ୍ରା ଆରମ୍ଭ କରିବ । ପଦଯାତ୍ରା ମାଧ୍ୟମରେ ବିଜେପି ସରକାରର ଗୋଟିଏ ପରେ ଗୋଟିଏ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବ ଦଳ । ନାରୀ ନିର୍ଯାତନା, ମହାନଦୀ, ପୋଲାଭରମ, କୋଟିଆଠାରୁ ଆରମ୍ଭ କରି କେନ୍ଦ୍ର ଅନୁଦାନ ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ । ଏନେଇ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ଅନ୍ୟପଟେ ଅକ୍ଟୋବର ୨ ତାରିଖରୁ କଂଗ୍ରେସ ବର୍ଷେ ବ୍ୟାପୀ ପଦଯାତ୍ରା କରିବ । କଂଗ୍ରେସ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ ମାଲକାନାଗିରିରୁ ଆରମ୍ଭ କରିବ । ୩ଟି ପର୍ଯ୍ୟାୟରେ କଂଗ୍ରେସ ପଦଯାତ୍ରା କରିବ । କଂଗ୍ରେସର ବର୍ଷେ ବ୍ୟାପୀ ପଦଯାତ୍ରାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏଆଇସିସି ବରିଷ୍ଠ ସଦସ୍ୟମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ପିସିସି ସଭାପତି କହିଛନ୍ତି । ଗାନ୍ଧୀ ଜୟନ୍ତୀରୁ ପିସିସି ସଭାପତି ମାଲକାନାଗିରିରୁ ପଦଯାତ୍ରା ଆରମ୍ଭ କରି ୧୪୭ଟି ନିର୍ବାଚନ ମଣ୍ଡଳରେ ପଦଯାତ୍ରା ମାଧ୍ୟମରେ ଜନ ସଚେତନ କରିବେ  ବୋଲି କହିଛନ୍ତି ।

ବିଜେଡିର ଜନ ଜାଗରଣ ପଦଯାତ୍ରା, କଂଗ୍ରେସ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହକୁ ଟକ୍କର ଦେବା ପାଇଁ ଶାସକ ବିଜେପି ଜାରି ରଖିବ ତ୍ରିରଙ୍ଗା ଯାତ୍ରା । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ସରକାର ବିରୋଧୀ ପଦଯାତ୍ରାର କୌଣସି ପ୍ରଭାବ ପଡିବନି । ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଜେପି ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଦଳ କହିଛି ।

ବିରୋଧୀଙ୍କ ପଦଯାତ୍ରା ବନାମ ଶାସକ ଦଳର ତ୍ରିରଙ୍ଗା ଯାତ୍ରା । ନାରୀ ନିର୍ଯାତନା ସହ ରାଜ୍ଯରେ ଆଇନ ଶୃଙ୍ଖଳା ବ୍ଯବସ୍ଥା ହେଉ କି ବିକାଶ ପ୍ରସଙ୍ଗ । କାହାର ହେବ ଜିତାପଟ ତା’ଉପରେ ରହିବ ଲୋକଙ୍କ ନଜର ।