ଜନସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେଲା ବିଜେଡି : ସରକାରଙ୍କ ବିରୋଧରେ ସ୍ବର ଶାଣିତ ହେବ

ଭୁବନେଶ୍ବର : ଆଜି ଅକ୍ଟୋବର ଦୁଇ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଜନ ସମ୍ପର୍କ ପଦଯାତ୍ରା ପାଇଁ ସଙ୍କଳ୍ପ ନେଇଛି ବିଜେଡି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯାଇଛି। ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ମାସେ ଧରି ଚାଲିବ । ପଦଯାତ୍ରା ଜରିଆରେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ ସହିତ ଗତ ୧୫ ମାସର ବିଜେପି ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଯିବ ବିଜୁ ଜନତା ଦଳ। ବିଜେପି ସରକାରକୁ ଆସିବା ପରେ ସବୁ କଥାରେ ଗତ ସରକାରକୁ ଦାୟୀ କରି ଆସୁଥିଲା। ହେଲେ ଏହି ୧୫ ମାସ ଭିତରେ ମାଳମାଳ ଅଭିଯୋଗରେ ଛନ୍ଦି ହୋଇ ଯାଇଛନ୍ତି ସରକାର । ଯେଉଁଥିପାଇଁ ସକ୍ରିୟ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିଛି ବିଜେଡି ।

ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ମହିଳାମାନେ ନିଜକୁ ଅସୁରକ୍ଷିତ ମନୁଛନ୍ତି । ସେହିପରି ଅଭିଶାପ ପାଲଟିଲାଣି ଆୟୁଷ୍ମାନ । ସାର ଅଭାବ ଯୋଗୁଁ ଚାଷୀ ହନ୍ତସନ୍ତ । ମଦମୁକ୍ତ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପ୍ରତିଶୃତି ଦେଇଥିବା ବିଜେପି ସରକାର ବନ୍ଦ ଥିବା ୭୦ଟି ନୂଆ ମଦ ଦୋକାନ ଓ ଦୁଇଟି ମଦ କାରଖାନା ଖୋଲି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି । ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଘର ଘର ବୁଲି ଏ ସବୁ ପ୍ରସଙ୍ଗକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କୁ ପଦଯାତ୍ରା ମାଧ୍ୟମରେ ଘେରିବ । ସେପଟେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ଓଡ଼ିଶା ଯେଉଁ ବିକାଶର ଶୀର୍ଷରେ ପହଞ୍ଚିଥିଲା, ତାକୁ ବିଜେପି ସରକାରଙ୍କ ବିଫଳତା ସହ ତୁଳନା କରି ଲୋକଙ୍କୁ ପଦଯାତ୍ରାରେ ସଚେତନ କରିବ ବିଜେଡି ।