ରାଜ୍ୟରେ ଅସୁରକ୍ଷିତ ମହିଳା: ବିଜେଡିର ରଣହୁଙ୍କାର, ୨୫ରେ କଲେଜ କ୍ୟାମ୍ପସରେ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅସୁରକ୍ଷିତ ମହିଳା । ବଢ଼ିଚାଲିଛି ଦୁଷ୍କର୍ମ ସାଙ୍ଗକୁ ଅତ୍ୟାଚାର । ପ୍ରତିବାଦରେ ଆସନ୍ତା ୨୫ ତାରିଖରେ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡି କରିବ ପ୍ରତିବାଦ । ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ କଳାବ୍ୟାଜ୍ ପିନ୍ଧି ପିକେଟିଂ କରିବେ । ପ୍ରତିବାଦ ସଭାରେ ସାମିଲ ହେବାକୁ ଆହ୍ବାନ ଦେଇଛି ବିଜେଡି । ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ନେଇ ସାରା ବିଶ୍ବରେ ନିନ୍ଦିତ ହେଲାଣି ଓଡ଼ିଶା । ଏହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି ।
ଓଡ଼ିଶାରେ ବର୍ଷକ ଭିତରେ ହେଲାଣି ୩ ହଜାରରୁ ଅଧିକ ଦୁଷ୍କର୍ମ ମାମଲା । ଗୋପାଳପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ସାରା ବିଶ୍ବରେ ଓଡ଼ିଶାର ଛବିକୁ ମଳିନ କରିଛି । ରାଜ୍ୟରେ ବଢୁଥିବା ଦୁଷ୍କର୍ମକୁ ନେଇ ପ୍ରତିବାଦ କରିବ ବିଜେଡି । ଆସନ୍ତା ୨୫ ତାରିଖରେ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ ପ୍ରତିବାଦ କରିବ ବିଜେଡି । ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ କଳାବ୍ୟାଜ୍ ପିନ୍ଧି ପିକେଟିଂ କରିବେ । ନାରୀଙ୍କ ସୁରକ୍ଷା ପାଇଁ ଛାତ୍ରଛ୍ରାତ୍ରୀମାନେ ପ୍ରତିବାଦ ଆନ୍ଦୋଳନରେ ସାମିଲ ହେବାକୁ ଦଳ ଆହ୍ବାନ କରିଛି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଞ୍ଜନା ମିଶ୍ର ଘଟଣାରୁ ବଳି ଯାଇଛି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା । ଯାହା ବିଶ୍ବ ମାନଚିତ୍ରରେ ଓଡ଼ିଶାକୁ ନିନ୍ଦିତ କରିଛି । ପ୍ରତିଦିନ ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେଉଛନ୍ତି । ବିଜେପି ସରକାରକୁ ଆସିବ ଦିନଠାରୁ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା । ଏହା ବିରୋଧରେ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରତିବାଦ କରିବ ବିଜେଡି ।
ସେପଟେ କଂଗ୍ରେସ ମଧ୍ୟ ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯାତନାକୁ ନେଇ ସରକାରଙ୍କ ଉପରେ ବର୍ଷିଛି । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ମହିଳା । ଶିଶୁ ନିଖୋଜ ୨୦ ହଜାର ଟପିଥିବା ବେଳେ, ବର୍ଷକ ଭିତରେ ୭୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ନାରୀ ନିର୍ଯାତନା ଘଟଣା ସାରା ବିଶ୍ୱ ଜାଣୁଛି, କିନ୍ତୁ ଜାଣିପାରୁନାହାନ୍ତି ଓଡ଼ିଶା ସରକାର । ବିଜେଡି ବିଧାୟକ ଗୌତମ ବୃଦ୍ଧ ଦାସ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସମୟରେ ବିଶ୍ବରେ ସୁନାମ ଆଣିଥିଲା ଓଡ଼ିଶା । ହେଲେ ବିଜେପି ସରକାରରେ ହେଉଛି ବଦନାମ । ପ୍ରତିକ୍ରିୟା ଦେଇ ବିଜେପି କହିଛି, ସଜାଗ ଅଛନ୍ତି ସରକାର ।