ବିଧାନସଭାରେ ଅଚଳାବସ୍ଥା ଜାରି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଗଲେ ବିଜେଡି ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଜାରି । ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ ଯାଏ ମୁଲତବି ରଖିଲେ । ତେବେ ଗୃହରେ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଛନ୍ତି ବିଜେଡି ବିଧାୟକ ।

ସେପଟେ କଂଗ୍ରେସ ବିଧାୟକମାନେ ଗାନ୍ଧି ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଛନ୍ତି । ସେମାନେ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଅନ୍ୟପଟେ ସମସ୍ତ ମନ୍ତ୍ରୀ ଓ ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ସେଠାରେ ସେମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଗୃହ ଚାଲି ପାରୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଧାନସଭା ସମସ୍ତଙ୍କର । ‘ଦୀର୍ଘଦିନ ଧରି ଗୃହ ଅଚଳ ଯୋଗୁଁ କାହାର ଲାଭ ହେଉନି । ଗୃହ ଚାଲିବା ନେଇ ସହମତି ବାହାରିବା ଦରକାର ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ’ । ଗୃହରେ ଜଣେ ବିଧାୟକ ଆତ୍ମହତ୍ୟା କରିବା ଭୁଲ ନୁହେଁ ତ ଆଉ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି ।

ଏ ସମ୍ପର୍କରେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିଛନ୍ତି ‘ବିଜେପି ଦୋମୁହାଁ ନୀତି ଧରିଛି । ମିଛରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପିଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବିଜେପି । ବିଜେପିର ଏଭଳି ଆଚରଣର ଉପଯୁକ୍ତ ଜବାବ ଦେବେ ଓଡ଼ିଶାବାସୀ ।’

Leave a Reply