ନୂଆପଡା ବାଜି ପୁଣି ଜିତିବ ବିଜେଡି: ୨୦୧୯ ଓ ୨୦୨୪ର ଫଳାଫଳକୁ ନେଇ ଚିନ୍ତାରେ ବିଜେପି

ନୂଆପଡା ବାଜି ପୁଣି ଜିତିବ ବିଜେଡି । ତାରିଖ ଘୋଷଣା ପୂର୍ବରୁ ପ୍ରମିଳାଙ୍କ ଆକଳନ । ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ ତୟାର । ସବୁ ଦଳର ପ୍ରାର୍ଥୀ ଚୂଡାନ୍ତ, ଘୋଷଣା ବାକି । ନୂଆପଡା ବାଜିର କିଏ ହେବ ବାଜିଗର? ପୁଣି ନୂଆପଡାରେ ବିଜୟ ବାନା ଉଡାଇବ କି ବିଜେଡି ? ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ ନୂଆପଡାବାସୀ ବିଜେଡି ପ୍ରାର୍ଥୀଙ୍କୁ ପିନ୍ଧାଇବେ ବିଜୟ ଟୀକା । ଉପନିର୍ବାଚନ ଯେତେବେଳେ ବି ହେବ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଦଳ କହିଛି। ୨୦୨୪ ନିର୍ବାଚନ ପରେ ନୂଆପଡାରେ ପ୍ରଥମ ଉପନିର୍ବାଚନ ହେଉଥିବାରୁ ଦଳ ଏହାକୁ ଗୁରୁତ୍ଵ ଦେଇ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ପ୍ରମିଳା । ୨୦୨୪ ନିର୍ବାଚନରେ ବିଜେଡି ନୂଆପଡା ଦଖଲ କରିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇଁ ବୃହତ ବିଜୟ ହାସଲ କରିଥିଲେ । ୧୦ ବର୍ଷ ଧରି ଲଗାତର ବିଜେଡି ଏହି ଆସନ ଦଖଲ କରିଛି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ଉପନିର୍ବାଚନ ହେବାକୁ ଯାଉଥିବାରୁ ଦଳ ଓ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ନୂଆପଡାବାସୀଙ୍କ ଭଲ ପାଇବା ଅତୁଟ ରହିବ ବୋଲି ପ୍ରମିଳା କହିଛନ୍ତି । ତେଣୁ ବିଜେଡି ପୁଣି ଏହି ଆସନ ଜିତିବ ବୋଲି ସେ ଆକଳନ କରିଛନ୍ତି । ଅନ୍ୟପଟେ ବିଜେପି ଓ କଂଗ୍ରେସ ମଧ୍ୟ ନୂଆପଡ଼ା ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ନୂଆପଡାରେ ଏଥର ବିଜୟ ହେବ । ପିସିସି ସଭାପତି କହିଛନ୍ତି ୨୦୨୪ରେ କଂଗ୍ରେସ ପ୍ରାର୍ଥୀ ଚୟନରେ ଭୁଲ୍ କରିଥିଲା। ଏଥର ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରାଯିବ ।
ବିଜେଡି ପଲ୍ଲା ଭାରି ଦେଖି ନୂଆପଡା ଉପନିର୍ବାଚନ ପୂର୍ବରୁ ଦୁଇ ଜାତୀୟ ଦଳର ଚିନ୍ତାରେ ପଡିଯାଇଛନ୍ତି । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିବାରୁ ଦୁଇ ଜାତୀୟ ଦଳଙ୍କ ପାଇଁ ବିଜେଡି ଗଡରେ ଧସେଇ ପଶିବା ସହଜ ନୁହେଁ। ରାଜନୈତିକ ସମୀକ୍ଷକ କେ. ରବିଙ୍କ ଆକଳନ ହେଉଛି ନୂଆପଡା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବ। କାରଣ ୨୦୨୪ ନିର୍ବାଚନରେ ବିଜେପି ଏଠାରେ ତୃତୀୟ ସ୍ଥାନରେ ରହିଥିଲା । ବିଜେଡି କହିଛି, ନୂଆପଡା ବିଜେଡିର ଥିଲା ଓ ରହିବ । ଚର୍ଚ୍ଚା ହେଉଛି ବିହାର ବିଧାନସଭା ନିର୍ବାଚନ ସହ ନୂଆପଡା ଉପନିର୍ବାଚନ ହେବ। ଏଥିପାଇଁ ଏବେଠାରୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଲାଣି । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ନୂଆପଡା ଆସନରୁ ଚାରିଥର ବିଧାୟକ ହୋଇଥିବାବେଳେ ତିନି ଥର ବିଜେଡି ଟିକେଟରୁ ବିଜୟ ହୋଇ ଅଚଂଳବାସୀଙ୍କ ସୁଖ ଓ ଦୁଃଖର ସାଥୀ ହୋଇଥିଲେ । ଉପନିର୍ବାଚନରେ ଢୋଲକିଆ ପରିବାରର ଜଣେ ସଦସ୍ୟଙ୍କୁ ବିଜେଡି ମଇଦାନକୁ ଓହ୍ଲାଇବାକୁ ସବୁଜ ସଙ୍କେତ ଦେଇସାରିଛି ।