ଚାରି ବିଜେପି ନେତାଙ୍କୁ ମାନସିକ ଚିକିତ୍ସା ଯୋଗାଇ ଦେବାକୁ ଏସସିବିକୁ ଚିଠି ଲେଖିଲା ବିଜେଡି

ଭୁବନେଶ୍ବର: ପାଗଳ ହୋଇଗଲେଣି ବିଜେପି ନେତା । ସେମାନଙ୍କର ମାନସିକ ଚିକିତ୍ସା ଆବଶ୍ୟକ । ଏମିତି କହି କଟକ ବଡ଼ ମେଡିକାଲକୁ ଚିଠି ଲେଖିଲା ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ଓ ପୂର୍ବତନ ରାଜ୍ଯ ସଭାପତି ସମୀର ମହାନ୍ତିଙ୍କୁ ମାନସିକ ରୋଗର ଚିକିତ୍ସା ଯୋଗାଇଦେବାକୁ ଚିଠି ଲେଖିଛି ଦଳ

ଚିଠିରେ ଦଳ ପକ୍ଷରୁ ଦର୍ଶାଯାଇଛି,  ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ମେଡିକାଲ ବୋର୍ଡ ଗଠନ କରିବା ସହ ଏହି ଚାରି ନେତାଙ୍କୁ ଆବଶ୍ୟକୀୟ ମାନସିକ ରୋଗ ଚିକିତ୍ସା ବ୍ୟବସ୍ଥା କରାଯାଉ । ଯଦି ସେମାନେ ଏଥିରେ ରାଜି ନହୁଅନ୍ତି, ତେବେ ସେମାନଙ୍କୁ ବୁଝାସୁଝା କରି ହସ୍ପିଟାଲ ଆଣିବାର ଦାୟିତ୍ବ ଏକ କାଉନସେଲିଂ ଟିମକୁ ପ୍ରଦାନ କରାଯାଉ ।

ବିଜେଡି କହିଛି, ଏକ ଦାୟିତ୍ବ ସମ୍ପନ୍ନ ରାଜନୈତିକ ଦଳ ଭାବେ, ଆମ ପ୍ରତିପକ୍ଷ ଓଡିଶା ବିଜେପିର କିଛି ନେତାଙ୍କ ମାନସିକ ସ୍ଥିତି ଦେଖି ଗଭୀର ଚିନ୍ତିତ । ଏଥିପାଇଁ ଆମକୁ ଭାରି ଦୟା ଲାଗୁଛି । ୨୦୨୪ ନିର୍ବାଚନ ବହୁତ ଖରାପ ଭାବେ ହାରିବାକୁ ଯାଉଥିବାରୁ, ସେମାନେ ନିଜ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ବାଚାଳାମି କରୁଛନ୍ତି । ଏସବୁ ଦେଖିବା କଷ୍ଟଦାୟକ । ଓଡ଼ିଶା ବିଜେପି ନେତାମାନେ ମାନସିକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୁଅନ୍ତୁ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି ବିଜେଡି ।