ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ନବୀନଙ୍କୁ ଭେଟି ଆଲୋଚନା କଲେ ଦଳୀୟ ନେତା ଓ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା । ଏହା ପୂର୍ବରୁ ଦଳୀୟ ନେତା ଓ କର୍ମୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସାଂଗଠନିକ ରୋଡମ୍ୟାପ ନେଇ ଆଲୋଚନା କରିଛନ୍ତି । ବିରୋଧୀ ଭୂମିକାରେ ଥାଇ ବି ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇ ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ବର ହେବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଖାସ୍ କରି ବିଜେପି ସରକାର ଅମଳରେ ବି କେନ୍ଦ୍ରୀୟ ଅବେହଳା ହେଉଥିବାରୁ ତାହାର ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବାକୁ ନବୀନ ନିର୍ଦ୍ଦେଶ ଦେବା ପରେ ସକ୍ରିୟ ହୋଇ ପଡ଼ିଛି ବିଜେଡି ।

ବିଜେପି ସରକାର ବିରୋଧରେ ମାଳମାଳ ଅଭିଯୋଗ । ୧୪ ମାସରେ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ସରକାରଙ୍କ ଅସଲ ଚିତ୍ର ପଦାରେ ପକାଇଛି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାରମ୍ବାର କେନ୍ଦ୍ରକୁ ଓଡ଼ିଶାର ଅଧିକାର ପାଇଁ ଦାବି କରି ଆସୁଥିଲେ । ହେଲେ କେନ୍ଦ୍ରରେ ବିଜେପି ନେତୃତ୍ଵାଧିନ ଏନଡିଏ ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଓଡ଼ିଶା ହେଉଥିଲା ଅଣଦେଖା । ହେଲେ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ବେ, ଓଡ଼ିଶାକୁ କେନ୍ଦ୍ର ଅବହେଳା କରୁଥିବାରୁ ପ୍ରଶ୍ନ କରିଛି ବିଜେଡି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ଦାଦନ ବୃଦ୍ଧି, ସାର କଳାବଜାରୀ ରାଜ୍ୟର ଅସ୍ତିତ୍ବ ଦୋହଲାଇ ଦେଇଛି । ରାସ୍ତା ଏବେ ମରଣଯନ୍ତା ପାଲଟିଛି । କଲେଜରେ ସିଟ ଖାଲି ପଡିଛି । ଏସସି/ଏସଟି ଓ ଓବିସିଙ୍କୁ ବୈଷୟିକ ଶିକ୍ଷାରେ ସଂଖ୍ୟା ଆନୁପାତିକ ସଂରକ୍ଷଣ ମିଳୁନି । ପୂର୍ବ ସରକାରଙ୍କ ସବୁ ଯୋଜନା ବନ୍ଦ କରି ଦେଇଛନ୍ତି ବର୍ତ୍ତମାନର ସରକାର । ଏହା ବିରୋଧରେ ବିଜେଡି ଲଢେଇ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଲୋକଙ୍କ ପାଖକୁ ଯାଇ ରାଜ୍ୟବାସୀଙ୍କ ସ୍ବର ସାଜି ସମସ୍ତ ସମସ୍ୟାକୁ ନେଇ ବିଜେଡି ତୀବ୍ର ଲଢ଼େଇ କରିବାକୁ ସଜବାଜ ହେଉଛି ।

ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟବାସୀଙ୍କ ସ୍ବରର ହିସାବରେ ତୀବ୍ର ଲଢ଼େଇ କରିବ । ପଦଯାତ୍ରା ବି ଏକ ବଡ଼ ମାଧ୍ୟମ ହେବ । ଗତବର୍ଷ ବିରୋଧୀ ଆସନକୁ ଆସିବା ସତ୍ତ୍ବେ ଜନସମ୍ପର୍କ ପଦଯାତ୍ରାକୁ ସଫଳତା ସହ ସମ୍ପାଦନ କରିଥିଲା ବିଜୁ ଜନତା ଦଳ । ଚଳିତବର୍ଷ ବି ଜନସମ୍ପର୍କ ପଦଯତ୍ରା ନେତାଙ୍କ ଲୋକପ୍ରିୟତାକୁ ପ୍ରତିପାଦନ କରିବ ।

ରାଜ୍ୟର ବିପର୍ଯ୍ୟସ୍ତ ସ୍ଥିତିକୁ ଦେଖି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରିଛି ବିଜେଡି । ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି । ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଓଡ଼ିଆ ଅସ୍ମିତାକୁ କୁଠାରଘାତ କରୁଛି । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ବର ହୋଇ ବିଜୁ ଜନତା ଦଳ ବିଜେପି ସରକାରଙ୍କ ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବାକୁ ନବୀନ ଦେଇଛନ୍ତି ଗୁରୁମନ୍ତ୍ର ।