ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଆସୁଛନ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଆସୁଛନ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ। ରାଜ୍ୟ ବିଜେପି ନେତା ଆତ୍ମବିଶ୍ଵାସ ହରାଇଛନ୍ତି। ସେମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିବାକୁ ଆସୁଛନ୍ତି କେନ୍ଦ୍ରର ଅନେକ ମନ୍ତ୍ରୀ। ବୁଷ୍ଟର ଡୋଜ୍ ଭଳି ଦେଉଛନ୍ତି, ହେଲେ କିଛି କାମ ଦେଉଛି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ସେ କହିଛନ୍ତି, ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଫେୟାରୱେଲ ହେଉଛି । ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ସହ କହିଥିଲେ। ହେଲେ ଏହାର ୧ ଘଣ୍ଟା ଭିତରେ ବିନମ୍ରତା ସହ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସମୟରେ ୨ ଫେଜ୍ ନିର୍ବାଚନ ସରିଥିଲା। ଏ ଦୁଇ ପର୍ଯ୍ୟାୟରେ ବିଜେଡି ସରକାର ଗଠନର ସଂଖ୍ୟାଗରିଷ୍ଠତା ପାଇସାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀଙ୍କୁ ଶପଥଗ୍ରହଣ ସମାରୋହରେ ଆସିବାକୁ ସ୍ଵାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଯାହା ବି କହିଲେ ୨ ଫେଜରେ ବିଜେଡି ବହୁମତ ପାଇଥିଲା। ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ ବି କଲେ। ଏଥର ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନରେ ସ୍ଵପ୍ନ ଦେଖିବା ବିଜେପି ନେତାଙ୍କ ଅଭ୍ୟାସ। ସେଇଆ ଚାଲିଛି, ସେଇଆ ଚାଲିବ। କ୍ଯାଡର ବୁଷ୍ଟ କରିବାକୁ ଏସବୁ ରଣନୀତି ବିଜେପି ଆପଣାଉଛି। ରାଜ୍ୟର ସମସ୍ତ ବିଜେପି ନେତାଙ୍କୁ ବୁଷ୍ଟ କରିବାକୁ ବିଜେପିର ମୁଖ୍ୟମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀ ବୁଲୁଛନ୍ତି। ହେଲେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି କରିସାରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆମେ ଜନତାଙ୍କ ମଧ୍ୟରେ ଦେଖିପାରୁଛେ। ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟ ବିଜେପି ନେତାଙ୍କ ଆତ୍ମବିଶ୍ଵାସ ଭାଂଗିପଡିଛି। ପୂର୍ବ ପୌର ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଥିଲେ। ୮୫୦ ଜିଲ୍ଲା ପରିଷଦ ସିଟ୍ରୁ ମାତ୍ର ୫୦ ସିଟ୍ ପାଇଥିଲେ। କେନ୍ଦ୍ରୀୟ ନେତା ବୁଷ୍ଟର ଡୋଜ୍ ଦେଉଛନ୍ତି ହେଲେ କିଛି କାମ ଦେଉନି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।