spot_img

Latest Posts

ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାରୁ ବିଜେପି ସହି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରିଆସିଛି । କିନ୍ତୁ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ଚାହୁଁଥିବା ବିଜେପି ଏହା ସହି ପାରୁନାହିଁ । ସେଥିପାଇଁ ଓଡ଼ିଶା ବିଜେପି ନେତାମାନେ ବାଉଳିଚାଉଳି ହୋଇ ବିବୃତି ଦେଉଛନ୍ତି ବୋଲି କହିଛି ବିଜେଡି ।

ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି, ଦେଖି ଖୁସି ଲାଗିଲା ଯେ ବହୁତ ଦିନ ପରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ପଦାକୁ ବାହାରିଲେ ଏବଂ ଗଣମାଧ୍ୟମ ଆଗରେ ବିବୃତି ଦେଲେ। ତେବେ ତାଙ୍କ କଥା ଶୁଣି ଲାଗିଲା; ଗଣମାଧ୍ୟମରେ ସେ ଯାହା କହିଲେ, ତାହା ତାଙ୍କର ନିଜସ୍ୱ ମତାମତ ନୁହେଁ। ଅନ୍ୟ କାହାର ବାଧ୍ୟବାଧକତାରେ ସେ ଏଭଳି ବିବୃତି ଦେଇଛନ୍ତି। ତେବେ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ନେଇ ସମୀର ବାବୁଙ୍କ ମୁହଁରେ ଆଜି ଯାହା କୁହାଗଲା, ତାହା ଶୁଣି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ, ହିଂସା ଓ ଦଙ୍ଗାର ତାଲିକା ଦେଖିଲେ, ଓଡ଼ିଶା ଏସବୁ ରାଜ୍ୟଠାରୁ ଢେର୍ ତଳେ ଅଛି ବୋଲି କହିଛନ୍ତି ଲେନିନ୍ ମହାନ୍ତି ।

ସେ ଆହୁରି କହିଛନ୍ତି କି ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି । ମାତ୍ର ବିଡ଼ମ୍ବନା ହେଲା ଓଡ଼ିଶା ବିଜେପିର ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ଅରାଜକ ଆଖ୍ୟା ଦେଇ ଅପମାନିତ କରି ଚାଲିଛନ୍ତି । ବାସ୍ତବରେ ଓଡ଼ିଶା ବିଜେପିର ନେତାମାନେ ହିଁ ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାବେଳେ ସମୀର ବାବୁଙ୍କ ମୁହଁରେ ଏଭଳି କୁହାଉଥିବା ଓଡ଼ିଶା ବିଜେପି ନେତାମାନେ ଏହା ସହିପାରୁ ନାହାନ୍ତି। ଏହି ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ସେମାନଙ୍କର ଯେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି, ତାହା ସାଧିତ ହୋଇ ପାରୁନାହିଁ। ତେଣୁ ସେମାନେ ପ୍ରତିଦିନ ବାଉଳିଚାଉଳି ହୋଇ ଗଣମାଧ୍ୟମରେ ଏଭଳି ବୟାନବାଜି କରୁଛନ୍ତି।  ଏଭଳି ହୀନ ରାଜନୀନୈତିକ ଷଡ଼ଯନ୍ତ୍ର କରି ବିଜେପି ସାଢେ ଚାରି କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି। ଶାନ୍ତି ଓ ଭାଇଚାରାରେ ବିଶ୍ୱାସ କରୁଥିବା ସମ୍ବଲପୁରବାସୀ ଆଗାମୀ ଦିନରେ ବିଜେପି ନେତାମାନଙ୍କ ଏଭଳି ହୀନ ରାଜନୀତିର ଉଚିତ ଜବାବ ଦେବେ ବୋଲି ଲେନିନ ମହାନ୍ତି ଚେତାଇ ଦେଇଛନ୍ତି ।

Latest Posts

Don't Miss