ଭୁଲ ହେଲାଣି ବିଜେପି ଅଙ୍କ: ବଦଳିଲା ମିଶନ୍ ୧୨୦ ନାରା, ଏବେ ୮୦ ପ୍ଳସ୍ ଭବିଷ୍ଯବାଣୀ

1 min read

ଭୁବନେଶ୍ୱର: ଡବଲ୍ ଇଂଜିନର ସ୍ବପ୍ନ ଏବେ ସିଙ୍ଗଲ ଇଂଜିନକୁ ଚାଲି ଆସିଲାଣି । ବିଜେପିର ମିଶନ୍-୧୨୦ ନାରା ଏବେ ବଦଳି ଯାଇଛି । ୨୦୨୪ ନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ଦଳର ନେତାଙ୍କ ମୁହଁରେ ଏବେ ୮୦ ପ୍ଳସ୍ ଭବିଷ୍ଯବାଣୀ । ଗଲା ନିର୍ବାଚନରେ ବିଜେଡିର ଏକପାଖିଆ ବିଜୟ ଆଉ ଏବେକାର ରୂପାନ୍ତରଣ ସ୍ରୋତକୁ ଦେଖି ଚମକି ଯାଇଛି ରାଜ୍ୟ ବିଜେପି । ବଡ଼ ବଡ଼ ନେତାଙ୍କ ମୁହଁରୁ ସଂଖ୍ୟା ଗଣିତ ଉଭାନ ହୋଇ ଯାଇଥିବା ବେଳେ ଅନ୍ୟ ନେତା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଦଳର ଫଳାଫଳକୁ ସୀମିତ ରଖିଛନ୍ତି ।

ସେପଟେ ବିଜେପିର ଗଣିତ ଖାତାକୁ ଗପ ଖାତା କହିଛି କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ବିଧାୟକ ତାରାବାହାନୀ ପତି କହିଛନ୍ତି ସଂଖ୍ୟା କହିବାକୁ ବିଜେପିକୁ ଟ୍ୟାକ୍ସ ଲାଗୁନି । ୨୪ ମହାସମରରେ ଜନତା ଦେବେ ଜବାବ । ଭୋଟର କହିବେ କିଏ ପାସ୍ କିଏ ଫେଲ୍ । ସେପଟେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ଆକଳନ ବିଜେପି ନେତାଙ୍କୁ ଖୁବ୍ ହତୋତ୍ସାହିତ କଲା ଭଳି । କାରଣ ସେ କହିଛନ୍ତି ନିର୍ବାଚନ ଯେତେ ପାଖେଇ ଆସିବ, ବିଜେପିର ସଂଖ୍ୟା ଆକଳନ ସେତେ ସେତ କମି ଆସିବ । ଆଉ ଫଳାଫଳ ଆସିବା ବେଳକୁ ଏ ସଂଖ୍ୟା ସାତ କିମ୍ବା ଆଠରେ ସୀମିତ ରହିବ ।