ଲୋକସଭା ନିର୍ବାଚନ ପୂର୍ବରୁ ୪ ରାଜ୍ୟର ସଭାପତି ପରିବର୍ତ୍ତନ କଲା ବିଜେପି

1 min read

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ସ୍ୱତନ୍ତ୍ର ରଣନୀତି । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସଭାପତି ବଦଳାଇଛି ବିଜେପି । ବିଜେପି ଚାରୋଟି ରାଜ୍ୟରେ ନିଜର ସଭାପତି ବଦଳାଇଛି । କେନ୍ଦ୍ରୀୟ ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନାର ବିଜେପି ପ୍ରଦେଶ ସଭାପତି ରୂପରେ ନିଯୁକ୍ତି ଦିଆଯାଇଛି । ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ର ପ୍ରଦେଶ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଝାରଖଣ୍ଡ ଏବଂ ସୁନୀଲ ଝାଖଡଙ୍କୁ ପଞ୍ଜାବରେ ଦଳୀୟ ନେତୃତ୍ୱ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରନ କୁମାର ରେଡ୍ଡୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରିଛି ।

ସେ ଏପ୍ରିଲ ମାସରେ ବିଜେପିରେ ସାମିଲ ହୋଇଥିଲେ । ଏଟାଲା ରେଜେନ୍ଦ୍ରଙ୍କୁ ତେଲେଙ୍ଗାନାରେ ବିଜେପିର ନିର୍ବାଚନ ପ୍ରବନ୍ଧନ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ବିଜେପି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତିଗୁଡ଼ିକୁ ଅନ୍ତିମ ରୂପ ଦେଇଛନ୍ତି ଏବଂ ଏହା ତତ୍କାଳ ପ୍ରଭାବରେ ଲାଗୁ ହେବ । ପଞ୍ଜାବ ବିଜେପି ସଭାପତି ଭାବେ ଅଶ୍ୱିନୀ ଶର୍ମାଙ୍କ ସ୍ଥାନରେ ସୁନୀଲ ଝାଖଡ଼ଙ୍କୁ ନିଯୁକ୍ତି ଦେଇ ବିଜେପି ରାଜ୍ୟରେ ତାଙ୍କୁ ହିନ୍ଦୁ ଚେହେରା ରୂପରେ ଲଞ୍ଚ୍ କରିଛି । ଅନୁମାନ କରାଯାଉଛି ଯେ ବିଜେପି ଅକାଳି ଦଳ ସହିତ ପୁଣିଥରେ ମେଣ୍ଟ କରିପାରେ ।

ଏପରି ସ୍ଥିତିରେ ହିନ୍ଦୁ-ସିଖ୍ ଭାଇଚାରାର ରାଜନୀତି କାର୍ଡ ଖେଳିବ ବିଜେପି । ଅନ୍ୟପକ୍ଷରେ ତେଲେଙ୍ଗାନାର ପ୍ରଦେଶ ସଭାପତି ଥିବା ସଞ୍ଜୟ ବନ୍ଦୀଙ୍କ ସ୍ଥାନରେ କେନ୍ଦ୍ରୀୟମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଝାରଖଣ୍ଡର ପ୍ରଦେଶ ସଭାପତି ଦୀପକ ପ୍ରକାଶଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ବାବୁଲାଲ ମାରାଣ୍ଡିଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶର ପ୍ରଦେଶ ସଭାପତି ସୋମୁ ବୀରରାଜୁଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଁମାନଙ୍କୁ ବିଜେପି ସଭାପତି ପଦରୁ ହଟାଇଛି ସେମାନଙ୍କୁ ଜାତୀୟ ସ୍ତରରେ ବଡ଼ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି ।