୪ ରାଜ୍ୟ ଉପ ନିର୍ବାଚନରେ ସବୁଠି ହାରିଲା ବିଜେପି

BJP Defeated In By Election In 4 States 5 Seats

ନୂଆଦିଲ୍ଲୀ: ଉପ ନିର୍ବାଚନରେ ଗେରୁଆ ଦଳକୁ ଝଟକା । ମହଙ୍ଗା ମାଡ଼ର ଜବାବ ଦେଲେ ଜନତା । ୪ ରାଜ୍ୟର ୫ ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି । ପଶ୍ଚିମବଙ୍ଗରେ ଜାରି ରହିଛି ଟିଏମସିର ଜଲୱା । ଆସାନସୋଲ୍ ଲୋକସଭା ଆସନ ସହ ବାଲିଗଞ୍ଜ ବିଧାସଭା ଆସନ ଟିଏମସି ହାତେଇ ନେଇଛି । ଆସାନସୋଲରୁ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ୨ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହୋଇଛନ୍ତି ।

ଶତ୍ରୁଘ୍ନ ସିହ୍ନା ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପାଲଙ୍କୁ ବଡ଼ ବ୍ୟବଧ୍ୟାନରେ ହରାଇଛନ୍ତି । ସେହିଭଳି ବାଲିଗଞ୍ଜ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁ ବିଜୟୀ ହୋଇଛନ୍ତି ବାବୁଲ୍ ସୁପ୍ରିୟୋ । ସେ ମାର୍କ୍ସବାଦୀ କମ୍ୟୁନିଟି ପାର୍ଟିର ସାୟରା ଶାହ ହଲିମଙ୍କୁ ୧୯ ହଜାର ୯୦୮ ଭୋଟରେ ହରାଇ ବିଜୟୀ ହୋଇଛନ୍ତି ।

 BJP Defeated In By Election In 4 States 5 Seats

ସେହିଭଳି ବିହାରର ବୋଚହାଁ ଆସନରେ ହୋଇଥିବା ଉପ ନିର୍ବାଚନରେ ଆରଜେଡି ବିଜୟୀ ହୋଇଛି । ଆରଜେଡି ପ୍ରାର୍ଥୀ ଅମର ପାଶୱାନ ବିଜେପିର ବେବି କୁମାରୀଙ୍କୁ ୩୫ ହଜାର ଭୋଟ୍ ବ୍ୟବଧ୍ୟାନରେ ହରାଇଛନ୍ତି । ଅମର ପାଶୱାନଙ୍କୁ ୮୨ ହଜାରରୁ ଅଧିକ ଭୋଟ୍ ମିଳିଥିବା ବେଳେ ବେବି କୁମାରୀଙ୍କୁ ମିଳିଛି ୪୫ ହଜାର ଭୋଟ୍ ।

ଛତିଶଗଡ଼ର ଖଇରାଗଡ଼ ଆସନରେ କଂଗ୍ରେସ, ବିଜେପିକୁ କଡ଼ା ଟକ୍କର ଦେଇଛି । ସେହିଭଳି ମହାରାଷ୍ଟ୍ର କୋହ୍ଲାପୁର ଉତ୍ତର ଆସନରେ କଂଗ୍ରେସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି । ଏହିଭଳି ଭାବେ ଗୋଟିଏ ଲୋକସଭା ସହ ୪ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ପରାଜୟର ସ୍ୱାଦ ଚାଖିଛି ।