ମହାନଦୀ ଟ୍ରିବ୍ୟୁନାଲରେ ପ୍ରତିନିଧିତ୍ୱ ପ୍ରଶ୍ନ । ନବୀନ କହିଲେ ସରକାରଙ୍କ ନାହିଁ ଆନ୍ତରିକତା । ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା କଂଗ୍ରେସ । ବିଧାନସଭାରେ ବିତର୍କ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଆହ୍ବାନ । ମହାନଦୀ ଜଳ ବିବାଦ ଶୁଣାଣିରେ ବ୍ୟାକଫୁଟରେ ରାଜ୍ୟ ସରକାର । ଟ୍ରିବ୍ୟୁନାଲରେ ମହାନଦୀ ବିବାଦର ଶୁଣାଣି ପ୍ରସଙ୍ଗ। ୫୦ତମ ଶୁଣାଣିରେ ଓଡ଼ିଶାରୁ କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ବଡ ଓକିଲ କଲେ ନାହିଁ ପ୍ରତିନିଧିତ୍ବ। ଏହାକୁ ନେଇ ବିଜେପିକୁ ଘେରିଛି ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ପ୍ରସସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ କଡା ସମାଲୋଚନା କରିଛନ୍ତି । ଆଜିର ଶୁଣାଣିରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ। ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ? ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନବୀନ । ନବୀନ ଅଭିଯୋଗ କରିଛନ୍ତି ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ। ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି। ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ମହାନଦୀ ଆମ ମା’, ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ। ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର କରିବ।
ମହାନଦୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ପିସିସି ସଭାପତି ଦାବି କରିଛନ୍ତି । ଟ୍ରିପଲ ଇଂଜିନ ସରକାର ତୁରନ୍ତ ସମସ୍ୟାର ସମାଧାନ କରିବା କଥା l ହେଲେ ତାହା ହେଉନାହିଁ। ବିଜେପି ସରକାର ଜଳ ବିବାଦର ସମାଧାନ ଚାହୁଁନାହିଁ । ସେପଟେ ବିଧାନସଭା ଭିତରେ ମହାନଦୀ ପ୍ରସଙ୍ଗରେ ବିତର୍କ ପାଇଁ ପୁଣି ଆହ୍ଵାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିଜେପି ସରକାର ବାରମ୍ବାର ଆପୋସ ସମାଧାନ କଥା କହୁଛି । ୧୯ ମାସ ହେବ ଛତିଶଗଡ଼ ସରକାର ଅନେକ ଡ଼୍ୟାମ ଓ ବାଲିବନ୍ଧ ନିର୍ମାଣ କରୁଛନ୍ତି । ସରକାରଙ୍କ ଦ୍ବାରା ଗଠିତ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଘୋଷଣା ପରେ ବି ଗସ୍ତ କରିନାହିଁ । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

