ଭୋଟ ହାତେଇବାକୁ ବିଜେପି ଡରାଉଛି, ଧମକାଉଛି ଓ ଟଙ୍କା ବାଣ୍ଟୁଛି

ଭୁବନେଶ୍ବର: ଭୋଟ ହାତେଇବାକୁ ମସୁଧା କରୁଛି ବିଜେପି । ଡରାଉଛନ୍ତି, ଧମକାଉଛନ୍ତି, ଖୋଲାଖୋଲି ଟଙ୍କା ବାଣ୍ଟୁଛି । ବିରୋଧ କଲେ ଆକ୍ରମଣ କରୁଛନ୍ତି ବିଜେପି କର୍ମୀ । ନିର୍ବାଚନରେ ପରାଜୟ ଜାଣି ହିଂସାତ୍ମକ ପନ୍ଥା ଆପଣାଉଛି ବିଜେପି । ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ, ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ କରୁଛନ୍ତି ବିଜେପି କର୍ମୀ ।

ଭୋଟ ଲାଗି ଖୁଲମଖୁଲ୍ଲା ଟଙ୍କା ବଣ୍ଟନ । ଗଣତନ୍ତ୍ର ଉପରେ କଳା ଟଙ୍କାର ପ୍ରହାର । ଅଧିକାର ସାବ୍ଯସ୍ତ କରିବା ଲାଗି ପରାମର୍ଶ ଦେବା ବଦଳରେ ଟଙ୍କାରେ ଖରିଦ କରାଯାଉଛି ଭୋଟ । ଗାଁ ଗାଁରେ ପଶି ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି ବିଜେପି ଏଜେଣ୍ଟ । ଗାଁ ଗହଳିରେ ବିଜେପି ମାଫିଆ କରିଛନ୍ତି ଅନ୍ଧାରୀ ବିଜେ । ପାଲଲହଡା ନିର୍ବାଚନ ମଣ୍ଡଳିର ଶିଗଡ଼ ପଞ୍ଚାୟତର କୋଳିପାଳ ଗାଁରେ ପଶି ବିଜେପି ଏଜେଣ୍ଟ ନିରୀହ ଲୋକଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। କୁହାଯାଉଛି ଭୋଟ ପିଛା ବିଜେପି କର୍ମୀ ଦେଉଛନ୍ତି ୫ ଶହ ଟଙ୍କା । ରାଜ୍ଯ ବିଜେପି ଗୁଣ୍ଡା, ଅପରାଧୀଙ୍କୁ ଦଳରେ ସାମିଲ କରୁଥିବା ବେଳେ, ନିର୍ବାଚନରେ କଳଙ୍କିତ ଉପାୟରେ ଭୋଟ ହାତେଇବା ଲାଗି ଗ୍ରହଣ କରୁଛନ୍ତି କୁତ୍ସିତ ମାଧ୍ଯମ ।

ବିଜେପିକୁ ଘାରିଛି ପରାଜୟ ଭୟ । ହାରିବା ଜାଣି ଗଡ଼ବଡ଼ କରିବାକୁ ଯୋଜନା । ଯେନେତେନେ ପ୍ରକାରେ ଭୋଟ ହାତେଇବାକୁ ବିଜେପି ପ୍ରାର୍ଥୀଙ୍କ ମସୁଧା । ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ରଚୁଛନ୍ତି ହିଂସା । ଆଠଗଡ଼ ତରଡିଙ୍ଗ ଗାଁରେ ମୁଣ୍ଡ ଟେକିଛି ରାଜନୈତିକ ହିଂସା । ଟଙ୍କା ଓ ମାଦକ୍ୟ ଦ୍ରବ୍ୟ ବଣ୍ଟାକୁ ବିରୋଧ କରିବାରୁ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ମେଟାଲ୍, କଟୁରୀ ସହ ମାରଣାସ୍ତ୍ରରେ କରିଛନ୍ତି ଆକ୍ରମଣ । ଯେଉଁଥିରେ ଆହତ ହୋଇଛନ୍ତି ୫ରୁ ଅଧିକ ବିଜେଡି କର୍ମୀ । ଖାଲି ସେତିକି ନୁହେଁ, ଛେଣ୍ଡିପଦା ଟେଣ୍ଟରୋଇ ବାରମଞ୍ଚା ସାହିରେ ଦେଖିବାକୁ ମିଳିଛି ଅଶାନ୍ତି । ବିଜେପି କର୍ମୀଙ୍କ ଭୂଜାଲି ଆକ୍ରମଣରେ ଗୁରୁତର ହୋଇଛନ୍ତି ବିଜେଡି କର୍ମୀ ।

କଟକ ନରସିଂହପୁର ବ୍ଲକ କାନପୁରରେ ହଟହଟା ହୋଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା । ବିଜେପି ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି । ୧୯ ନମ୍ବର ଜୋନରେ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି । ସେହିପରି ବାଙ୍କୀ ତାଳବସ୍ତ ଗାଁରେ ରାତି ଅଧରେ ଟଙ୍କା ବାଣ୍ଟୁଥିବା ବେଳେ, ବିରୋଧ କରିଛନ୍ତି ବିଜେଡି କର୍ମୀ । ଏପଟେ ବିଜେଡିର ଲୋକପ୍ରିୟତା ଦେଖି ରକ୍ତମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ସବୁ ଭିତରେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳିର ଠେଲକୋଲି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ଯମର ପ୍ରତିନିଧିମାନେ କାରରେ ଯାଇ ଟଙ୍କା ବାଣ୍ଟିବାକୁ ଉଦ୍ଯମ କରୁଥିବା ବେଳେ, ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ମିଡିଆ ଗାଡ଼ିରେ ବସିଥିଲେ ବିଜେପିର ଜଣେ ମହିଳା କର୍ମୀ । ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରୁ ଖସି ଯାଇଛି ମିଡିଆ ଗାଡି । ସେହିପରି ଚିରକୁଟି ବଣ୍ଟାକୁ ଟଙ୍କା ବଣ୍ଟା କହି ସଂଖ୍ଯାଲଘୁଙ୍କୁ ଅପମାନ କରିବାକୁ ହୀନ ଉଦ୍ୟମ କରିଛି ଉକ୍ତ ଗଣମାଧ୍ଯମ । ସତକୁ ଲୁଚାଇ ନିଜ ଏଜେଣ୍ଡାକୁ ଚରିତାର୍ଥ କରିବାକୁ କେବଳ ଓର ଉଣ୍ଡୁଛି ଏହି ଗଣମାଧ୍ଯମ।  ଏପଟେ ଚିଲିକାରେ ବିଜେଡି ପ୍ରାର୍ଥୀଙ୍କୁ ବଦନାମ କରିବାକୁ ବିଜେପି କର୍ମୀ ମସୁଧା ଚଳାଇଥିବା ବେଳେ, ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସେହିପରି ସମ୍ବଲପୁରରେ ଭୋଟ୍ ପାଇଁ ଶୁଭଦ୍ରା ଯୋଜନାର ଲୋଭ ଦେଖାଉଛି ବିଜେପି । ଶୁଭଦ୍ରା ଯୋଜନାରେ ଟଙ୍କା ମିଳିବ କହି ବିଜେପିକୁ ଭୋଟ ଦେବାକୁ ଲୋଭ ଦେଖାଉଛନ୍ତି ବିଜେପି କର୍ମୀ । ସହରର ବିଭିନ୍ନ ସ୍ଥାନରେ ବିଜେପି ସୁଭଦ୍ରା ଯୋଜନାର ଲୋଭ ଦେଖାଉଥିବା ଅଭିଯୋଗ ହୋଇଛି ।

ସେପଟେ ପୋଲିସକୁ ଦେଖି ଚିହିଁକି ଉଠିଛନ୍ତି ଖୋର୍ଦ୍ଧା ବିଜେପି ବିଧାନସଭା ଆସନ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ପୋଲିସକୁ କରିଛନ୍ତି ଦୁର୍ବ୍ୟବହାର । ପୋଲିସ ପ୍ରତି ଅପଶଦ୍ଦ ପ୍ରୟୋଗ କରି ଗାଳି ଦେଇଛନ୍ତି ପ୍ରଶାନ୍ତ । ଯେଉଁ ବ୍ୟକ୍ତି ସାଧାରଣ ଲୋକଙ୍କୁ ହାତ ଉଠାନ୍ତି, ଅପଶଦ୍ଦ ପ୍ରଯୋଗ କରନ୍ତି, କର୍ତ୍ତବ୍ଯରତ ପୋଲିସକୁ ଦୁର୍ବ୍ଯବହାର କରନ୍ତି, ସେ କି ପ୍ରକାର ଲୋକ ପ୍ରତିନିଧି ହେବେ ବୋଲି ସାଧାରଣରେ ସାଧାରଣରେ ଉଠିଛି ପ୍ରଶ୍ନ ।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏବେ ସାଇଲେଣ୍ଟ ପିରିୟଡ ଚାଲିଥିବାବେଳେ ବିଜେପିର ଏକାମ୍ର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବାବୁ ସିଂ ବରମୁଣ୍ଡା ଗାଁ ଭିତରେ ଟଙ୍କା ବାଣ୍ଟିବା ଘଟଣା ସାମ୍ନାକୁ ଆସିଛି । ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଂଘନ କରିଛନ୍ତି ବାବୁ ସିଂ। ଆଜି କୌଣସି ପ୍ରାର୍ଥୀ ପ୍ରଚାର କରି ପାରିବେ ନାହିଁ । ହେଲେ ବାବୁ ସିଂ ନିଜର ସମର୍ଥକମାନଙ୍କ ସହିତ ବରମୁଣ୍ଡା ଗାଁ ଭିତରେ ଡୋର ଟୁ ଡୋର କ୍ୟାମ୍ପେନ କରିବା ସହିତ ଟଙ୍କା ବାଣ୍ଟୁଥିବା ଦେଖି ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ । ବିରୋଧ ଦେଖି ତୁରନ୍ତ ଗାଁରୁ ପଳାଇ ଯାଇଥିଲେ ବାବୁ ସିଂ ।