ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ

ଜଗତସିଂହପୁର :  ଦାଦାବଟି ମାଗିବା ଅଭିଯୋଗରେ ବିଜେପି ନେତା ଗିରଫ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ନୂଆପଡ଼ା ବାଲିଘାଟରେ ୫ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରକାଶ ଚନ୍ଦ୍ର ଦଳାଇଙ୍କୁ ତିର୍ତ୍ତୋଲ ଥାନା ପୋଲିସ ଗିରଫ କରିଛି । ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜେପି ଯୁବମୋର୍ଚ୍ଚା ନେତା ପ୍ରକାଶ ଦଲାଇ ତାଙ୍କ ସହଯୋଗୀଙ୍କ ସହ ଗତ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନୂଆପଡ଼ା ବାଲିଘାଟକୁ ଯାଇ ବାଲିଘାଟ ଦାୟିତ୍ୱରେ ଥିବା କର୍ମଚାରୀ ସୁଦର୍ଶନ ମୁଦୁଲିଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଟଙ୍କା କେଉଁଠୁ ଆଣିବେ ବୋଲି କର୍ମଚାରୀ କହିବାରୁ ଧମକ ଦେଇ ଚାଲି ଯାଇଥିଲେ ପ୍ରକାଶ ।  ତା’ ପରଦିନ ୧୧ ତାରିଖ ବିଳମ୍ବିତ ରାତ୍ରରେ ଯାଇ ବାଲିଘାଟ ବୁଝୁଥିବା ସୁଦର୍ଶନ ମୁଦୁଲିଙ୍କ ମୁଣ୍ଡରେ ପ୍ରକାଶ ବନ୍ଧୁକ ଲଗାଇ ଜୀବନରୁ ମରିଦେବାର ଧମକ ଦେଇଥିଲେ ।

ବାଲିଘାଟର ଶ୍ରମିକମାନେ ବିରୋଧ କରିବାରୁ ପ୍ରକାଶଙ୍କ କିଛି ସମର୍ଥକ ଖଣ୍ଡା, ଭୁଜାଲି, କଟୁରି ଧରି ଶ୍ରମିକଙ୍କ ଆଡ଼କୁ ମାଡି ଆସିଥିଲେ । ୬ଟି ବ୍ୟାରେଲରେ ଥିବା ୧୨ ଶହ ଲିଟର ତେଲ ସହ ତିନିଟି ଡ୍ରମ୍‌ ନଦୀକୁ ଫିଙ୍ଗି ଦେଇଥିଲେ। ଚେୟାର, ଜେସିବି ଗାଡ଼ିକାଚ ଭଙ୍ଗାରୁଜା କରିବା ସହ ଦୀର୍ଘ ସମୟ ଧରି ବିଜେପି ନେତା ଆତଙ୍କ ଚଳାଇଥିବା ଅଭିଯୋଗ ହୋଇଛି । ବାଲିଘାଟ ବୁଝୁଥିବା ସୁଦର୍ଶନ ମୁଦୁଲି ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ବିଜେପି ନେତା ପ୍ରକାଶ ଦଲାଇଙ୍କୁ ଗିରଫ କରିଛି । ବିଜେପି ନେତା ପ୍ରକାଶ ଦଲାଇ ବନ୍ଧୁକ ଆଣିଲେ କେଉଁଠୁ ଓ ବନ୍ଧୁକ କ’ଣ କଲେ, ସେନେଇ ଖୋଳତାଡ଼ କରୁଛି ପୋଲିସ । ଏ ସବୁ ଘଟଣା ପଛରେ ପାରାଦୀପର ଜଣେ ବିଜେପି ନେତାଙ୍କ ହାତ ଥିବା ଚର୍ଚ୍ଚା ହେଉଛି ।