ଗୁଜରାଟ ବିଜେପି ନେତାଙ୍କ ନାତୁଣୀ ନିର୍ବନ୍ଧରେ ଏମିତି ଥିଲା ସାମାଜିକ ଦୂରତା…

ଗାନ୍ଧୀନଗର: ବିଚ ରାସ୍ତାରେ ଉଡିଲା କୋରୋନା କଟକଣାର ଧଜିଆ । ସାମାଜିକ ଦୂରତା ଏଠି ଶୋଇପଡିଥିବାବେଳେ କଟକଣାର କାଣିଚିଏ ନିୟମ ମଧ୍ୟ ଦେଖିବାକୁ ମିଳିନଥିଲା । ଦେଶରୁ କୋଭିଡକୁ ତଡିବାକୁ ସରକାର ବୁଲି ବୁଲି ସାମାଜିକ ଦୂରତା କଥା କହୁଥିବା ବେଳେ ନେତା, ମନ୍ତ୍ରୀ କିନ୍ତୁ ସବୁ ନିୟମକୁ କରିଦେଇଛନ୍ତି ଫୁ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜୁରାଟରେ । ଗୋଟେପଟେ ରାଜ୍ୟ ସରକାର କଡା ମୁକାବିଲା କରିବାକୁ ଆରମ୍ଭ କରିଦେଇଛନ୍ତି ରଣନୀତି । ସ୍ଥିତି ଏମିତି ହୋଇଛି କି, ଗୁଜୁରାଟର ଅନେକ ସହରରେ ପୁନର୍ବାର ଆରମ୍ଭ ହୋଇଯାଇଛି ରାତ୍ରି କାଳୀନ କର୍ଫ୍ୟୁ । ହେଲେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ବିଧାୟକ ଉଲ୍ଲଂଘନ କରିଛନ୍ତି କୋଭିଡର ସମସ୍ତ କଟକଣା ।

ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କାନ୍ତି ଗମୀତଙ୍କ ନାତୁଣୀ ନିର୍ବନ୍ଧ ଭୋଜିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ୫୦ରୁ ଅଧିକ ଲୋକଙ୍କୁ କଟକଣା ଅନୁଯାୟୀ ଅନୁମତି ମିଳିଥିବାବେଳେ ପାଖାପାଖି ୬୦୦୦ରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ହରଡ ଘଣାରେ ପଡିଯାଇଛନ୍ତି ସରକାର । ଖୋଦ ବାଡ ଯଦି କ୍ଷେତ ଖାଇବ, ତେବେ କହିବା କାହାକୁ । ଉକ୍ତ କାର୍ଯ୍ୟକ୍ରମରେ କୌଣସି ବ୍ୟକ୍ତି କୋରୋନା ନିୟମକୁ ମାନିନଥିବା ଦେଖିବାକୁ ମିଳିଛି । ସେପଟେ ଏତେ ସଂଖ୍ୟକ ଲୋକଙ୍କ ସମାଗମ ଭିତରେ କୌଣସି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିନଥିଲା ସାମାଜିକ ଦୂରତା ।

ସାଧାରଣ ଲୋକଙ୍କ ପାଇଁ କଟକଣା କଡ଼ାକଡି ହେଉଥିବାବେଳେ ନେତାମନ୍ତ୍ରୀଙ୍କୁ କାହିଁକି ସାତ ଖୁନ ମାଫ ବୋଲି ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ସେପଟେ ଭାଇରାଲ ଭିଡିଓକୁ ନେଇ ରାଜନୀତି ତେଜିଥିବାବେଳେ ମୁହଁ ଖୋଲିଛନ୍ତି ବିଜେପି ନେତା । କାନ୍ତି ଗମୀତଙ୍କ କହିବା ଅନୁଯାୟୀ, ନାତୁଣୀ ନିର୍ବନ୍ଧ କାର୍ଯ୍ୟକ୍ରମକୁ ୨୦୦୦ ଲୋକଙ୍କୁ ନିମନ୍ତ୍ରଣ ରହିଥିଲା । ହ୍ୱାଟସଆପରେ ଲୋକଙ୍କ ପାଖେ କେମିତି ଖବର ପହଁଚିଯାଇଛି । ଯାହା ମୋର ଅଜାଣତରେ । ତେଣୁ ଲୋକ ସମାଗମ ହୋଇଗଲେ, ଏଥିରେ ମୋର ବା ଦୋଷ କଣ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଗମୀତ ।

ସେହିପରି ଗମୀତ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଆଦିବାସୀ ଲୋକ ବସବାସ କରୁଛନ୍ତି । ବିନା ନିମନ୍ତ୍ରଣରେ ନାତୁଣୀ ନିର୍ବନ୍ଧ ଭୋଜିରେ ଲୋକେ ଏକଜୁଟ ହୋଇଛନ୍ତି । ଲୋକ ଆସିଲା ପରେ ଆମେ ଆଉ ବା କଣ କରିପାରିବୁ ବୋଲି କହିଛନ୍ତି ବିଜେପି ନେତା । ସେପଟେ ଘଟଣାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଗମ୍ଭୀରତାର ସହ ନେଇଥିବାବେଳେ ଭିଡିଓର ସତ୍ୟତା ତନଖି କରାଯାଉଥିବା କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ପୋଲିସ ଏ ବାବଦରେ କାନ୍ତି ଗମୀତଙ୍କୁ ଥାନାକୁ ଡାକିବା ସହ ପଚରାଉଚରା କରିଥିବା ମଧ୍ୟ ଜଣାପଡିଛି ।

Leave a Reply