ଶତାଧିକ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗଦେଲେ ଇରାନୀ ରାୟ

ଭୁବନେଶ୍ବର: ବିଜେପି ନେତ୍ରୀ ଇରାନୀ ରାୟ ବିଜେଡ଼ିରେ ଯୋଗ ଦେଇଛନ୍ତି । ଶତାଧିକ ସମର୍ଥକଙ୍କ ସହିତ ଇରାନୀ ରାୟ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସାଂସଦ ସଶ୍ମିତ ପାତ୍ର  ମଧ୍ୟ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ।

ବିଜେଡିରେ ଯୋଗ ଦେଇ ଇରାନୀ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଦ୍ୱାରା ଅନୁପ୍ରେରିତ ହୋଇ ଦଳରେ ଯୋଗ ଦେଇଛନ୍ତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଉଥିଲା ଓ କୌଣସି ମିଟିଂକୁ ତାଙ୍କୁ ଡକା ଯାଉନଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ବିଜେଡିରେ ମିଶିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି ଇରାନୀ । କହିଛନ୍ତି, ‘ନାରୀଙ୍କୁ ସମ୍ମାନ ଦେଇ ଜାଣେନି ବିଜେପି । ପୌର, ପଞ୍ଚାୟତ ନିର୍ବାଚନରେ କାମ କରିବା ସତ୍ତ୍ବେ ସମ୍ମାନ ମିଳିଲା ନାହିଁ । ଯେଉଁଠି ସମ୍ମାନ ନାହିଁ, ସେଠି କାହିଁକି ରହିବି । ମୁଁ ବିଜେପି ପାଇଁ ଶତ ପ୍ରତିଶତ କାମ କରୁଥିଲେ । ପରିଶ୍ରମ କରିବା ସହ ତ୍ଯାଗ କରିଥିଲେ । ହେଲେ ମୋ ପ୍ରତି ବିଜେପି ଅନ୍ୟାୟ କରିଛି ।’

କିଛିଦିନ ତଳେ ଇରାନୀ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ୨୦୧୯ରେ ସେ ନୟାଗଡରୁ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଇରାନୀ ଓ ତାଙ୍କ ଶତାଧିକ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସସ୍ମିତ ପାତ୍ର, ବିଧାୟକ ଅରୁଣ ସାହୁ, ବିନୋଦ ନାୟକ, ପ୍ରଭାତ ଷଡ଼ଙ୍ଗୀ, ପ୍ରକାଶ ଦାସ, ବୀରେନ୍ଦ୍ର ନାୟକ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ନୟାଗଡରେ ସଂଗଠନ ଆହୁରି ସୁଦୃଢ ହେବ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସମ୍ମାନ ସବୁବେଳେ ରଖିଛନ୍ତି । ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି, ଇରାନୀ ରାୟ ଜଣେ ଆଗ ଧାଡ଼ିର ନେତ୍ରୀ । ସଂଗଠନ ଦୃଷ୍ଟିରେ ଆଗ ଧାଡ଼ିର ନେତ୍ରୀ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି । ବିଜେଡି କାର୍ଯ୍ୟକ୍ରମ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପ୍ରୟାସରେ ଅନୁପ୍ରାଣିତ ହୋଇ ସେ ମିଶିଛନ୍ତି । ନବୀନ ବାବୁଙ୍କ ନେତୃତ୍ୱକୁ ଗ୍ରହଣ କରି ଲୋକେ ବିଜେଡିରେ ମିଶୁଛନ୍ତି ।  ଦଳକୁ ଆହୁରି ସଶକ୍ତ କରିବାରେ ସେ କାମ କରିବେ ।

ସାଂସଦ ସସ୍ମିତ ପାତ୍ର କହିଛନ୍ତି, ନାରୀ ସଶକ୍ତିକରଣକୁ ଆଗେଇ ନେବା ପାଇଁ ଇରାନୀ ବିଜେଡିରେ ମିଶିଛନ୍ତି । ଏହା ଏକ ମାଇଲଖୁଣ୍ଟ ହେବ ।