ଦୋଷ କରି ଚୌକିଟାଣ ଦେଖାଇଲେ ଲେଖାଶ୍ରୀ, କହିଲେ ମୁଁ କୌଣସି ଭୁଲ କରିନାହିଁ ମହାପ୍ରଭୁଙ୍କୁ ଅପମାନିତ କରିନାହିଁ

ଭୁବନେଶ୍ୱର: ଭୁଲ ମାନିଲେନି ଲେଖାଶ୍ରୀ । ନିଜେ ଭୁଲକରି ଚୌକିଟାଣ ଦେଖାଉଛନ୍ତି ବିଜେପି ନେତ୍ରୀ । ନିଜେ ଭୁଲ କଲେ ଏବେ ଅନ୍ୟମୁଣ୍ଡରେ ଅଠା ବୋଳି ଖସିବା ଉଦ୍ୟମ କରୁଛନ୍ତି । ବିବାଦୀୟ  ମନ୍ତବ୍ୟ ଦେଇ ଏବେ ହରଡ଼ଘଣାରେ ପଡ଼ିଛନ୍ତି ଲେଖାଶ୍ରୀ ମାଡାମ । ଆଉ ବିଚଳିତ ହୋଇ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି । ଟାର୍ଗେଟ କରି କହିଛନ୍ତି ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ କେବଳ ଲେଖାଶ୍ରୀ ହିଁ ଏକମାତ୍ର ପ୍ରସଙ୍ଗ  ।

ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି, ମୋତେ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି ସେମାନେ ପ୍ରକୃତରେ କଳାପାହାଡ଼ । ବିଜେଡି ସାରକାର ପୁରୀକୁ କାହିଁକି ବିଶ୍ୱପ୍ରସିଦ୍ଧ କରିପାରିନାହଁ ବୋଲି ମୁଁ ପ୍ରସଙ୍ଗ ଉଠାଇଥିଲି, ଯାହା ଶାସକଦଳଙ୍କୁ କଷ୍ଟ ଦେଉଛି । ମୁଁ କୌଣସି ଭୁଲ କରିନାହିଁ ମହାପ୍ରଭୁଙ୍କୁ ଅପମାନିତ କରିନାହିଁ ବୋଲି କହିଛନ୍ତି ଲେଖାଶ୍ରୀ  । ଏବେ ପ୍ରଶ୍ନ ହେଲା ସମ୍ବିତ ପାତ୍ରଙ୍କ ପାଇଁ ବାହାର ଲୋକ ପୁରୀକୁ ଚିହ୍ନିବା ବୟାନର ବିକାଶ ସହ କ’ଣ ସଂପର୍କ ରହିଛି ? ପୁରୀ ବିଶ୍ୱ ପ୍ରସିଦ୍ଧ ହେବାର ସମ୍ବିତ ପାତ୍ର ନିର୍ବାଚନ ଲଢିବା ସହ ସଂପର୍କ କଣ ? ଏହାର ଉତ୍ତର କିନ୍ତୁ ଲେଖାଶ୍ରୀ ଦେଇ ନାହାନ୍ତି । ସେ ବୁଝାଇ ପାରିନାହାନ୍ତି ଯେ, କେମିତି ସମ୍ବିତ ନିର୍ବାଚନ ଲଢିବାରୁ ପୁରୀ ରାତାରାତି ବିଶ୍ୱ ପ୍ରସିଦ୍ଧ ହୋଇଗଲା । ପୁରୀ କୋଲକତାରେ ଅଛି ବୋଲି ଯେଉଁମାନେ ଭାବୁଥିଲେ,ସେହି ବିଜ୍ଞ ଲୋକମାନଙ୍କ ବାବଦରେ ମଧ୍ୟ ସେ କିଛି କହିନାହାନ୍ତି । ତେବେ ଲେଖାଶ୍ରୀଙ୍କ ବୟାନ ଗୋଟିଏ କଥା ପ୍ରମାଣ କରୁଛି ଆଉ ତା’ ହେଲା ସେ ବିବାଦକୁ ନେଇ ଘାବରାଇ ଯାଇଛନ୍ତି । ଯେଉଁଥିପାଇଁ ଅଦଭୁତ ଯୁକ୍ତି ସବୁ ରଖୁଛନ୍ତି ।

ଅନ୍ୟପକ୍ଷରେ ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦଳ ପକ୍ଷରୁ ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ ଗିରଫଦାରୀ ଦାବି କରାଯାଇଛି । ଉଭୟ ବିଜେପି ନେତା ଜଗନ୍ନାଥଙ୍କ ପାଖରେ କ୍ଷମା ନ ମାଗିଲା ଯାଏଁ ଓଡ଼ିଶା ମାଟିରେ ପୁରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା । ପ୍ରତିବାଦ ସ୍ୱରୂପ ନରେନ୍ଦ୍ର ମୋଦି, ସମ୍ବିତ ପାତ୍ର ଓ ଲେଖାଶ୍ରୀଙ୍କ କୁଶପୁତ୍ତଳିକା ଜଳା ଯାଇଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଶ୍ରୀକ୍ଷେତ୍ର ପୁରୀକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ସବୁଆଡେ ସୃଷ୍ଟି ହୋଇଛି ଝଡ।

ସେପଟେ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଛି । ଆଗାମୀ ଦିନରେ ଲେଖାଶ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯିବ ବୋଲି କହିଛନ୍ତି ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ।

Leave a Reply