ଆନ୍ଧ୍ରରେ ଅର୍ଥ କାରବାର ମାମଲାରେ ଗିରଫ ହୋଇପାରନ୍ତି ବିଜେପି ନେତା: ବିଜେଡି

1 min read

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ ବିଧାନ ପରିଷଦ ସଦସ୍ୟ କରାଇଦେବା ଲାଗି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କାର ହୋଇଛି କାରବାର । ଏହି କେଳେଙ୍କାରୀକୁ ନେଇ ଆନ୍ଧ୍ରପ୍ରଦେଶରେ ଏକ ଫୌଜଦାରୀ ମାମଲା ରୁଜୁ ହେବାକୁ ଯାଉଛି । ଏଥିରେ ସାମିଲ ବ୍ୟକ୍ତିମାନଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି ବୋଲି କହିଛି ବିଜେ଼ଡି । ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି- ଜୀବନରେ ସାଧାରଣ ଓ୍ବାର୍ଡମେମ୍ବରଟିଏ ହୋଇପାରି ନଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ବିଭିନ୍ନ ପ୍ରସଙ୍ଗରେ ବିବୃତି ଦେବାରେ ଲାଗିଛନ୍ତି ।

ବିଜେପିର କୁହାଳିଆ ନେତା ପୃଥ୍ବୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶା ବିରୋଧୀ କଥା କୁହନ୍ତି । ଓଡ଼ିଶାରେ କେହି ବି ତାଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁ । ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି, ସେ ବିଷୟରେ ବଡ ବଡ କଥା କହୁଥିବା ପୃଥ୍ବୀରାଜ ନିଶ୍ଚିତ ଭାବେ ଜାଣି ଥିବେ ଯେ ଆନ୍ଧ୍ରମଡେଲ ମଧ୍ୟ ରହିଛି । ଆନ୍ଧ୍ରମଡେଲରେ ବିଧାନ ପରିଷଦରେ ସଦସ୍ୟ କରାଇଦେବାକୁ କହି ଆଶାୟୀମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି ।

ଓଡ଼ିଶା ବିଜେପିର କାର୍ଯ୍ୟଶୌଳୀ ଦେଖି ଲାଗୁଛି ବୋଧହୁଏ ତାଙ୍କ ସଙ୍ଗଠନରେ କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି ଯିଏକି ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ । ନହେଲେ ଫୌଜଦାରୀ ମାମଲାରେ ଛନ୍ଦିହୋଇ ଯେକୌଣସି ମୁହୂର୍ତ୍ତରେ ଜେଲ ଯିବାର ଆଶଙ୍କା ଥିବା ଜୁନିୟର ଲୋକଙ୍କୁ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଛାଡି ନଥାନ୍ତେ । ଏନେଇ ରାଜ୍ୟ ବିଜେପି ସତର୍କ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।