ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭାର ୧୮ ତମ ବାଚସ୍ପତି ଭାବେ ସର୍ବସମ୍ମତି ଭାବେ ନିର୍ବାଚିତ ହେଲେ ବିଜେପି ବିଧାୟକ ପ୍ରେମ କୁମାର। ପଛୁଆ ବର୍ଗ ଜାତିର ଏହି ନେତା ବିହାର ବିଧାନସଭାକୁ ୯ ଥର ନିର୍ବାଚିତ ହୋଇଛନ୍ତି। ୭୦ ବର୍ଷ ବୟସ୍କ ବିଜେପି ବିଧାୟକ ପ୍ରେମ କୁମାର ନିକଟରେ ଅନୁଷ୍ଠିତ ହୋଇଥିବା ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଗୟା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅଖୁରୀ ଓମକାର ନାଥଙ୍କୁ ୨୬ ହଜାର ୪୨୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
୧୯୭୪ ମସିହା ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୯୦ ମସିହାରୁ ପ୍ରଥମ କରି ଗୟା ବିଧାନସଭା ନିର୍ବାଚନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୫ରୁ ଗୃହ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୫ରୁ ୨୦୧୭ ପର୍ଯ୍ଯନ୍ତ ବିହାର ବିଧାନସଭାର ବିରୋଧୀ ଦଳ ନେତାଭାବେ ମଧ୍ଯ କାର୍ଯ୍ଯ କରିଛନ୍ତି। ଚଳିତଥର ଏକାକି ସଂଖ୍ଯା ଗରିଷ୍ଠ ଦଳ ଭାବେ ୮୯ଟି ଆସନରେ ବିଜେପି ବିଧାୟକ ନିର୍ବାଚିତ ହୋଇଛନ୍ତି।
ଅନ୍ୟପଟେ ଏନଡିଏର ଅଂଶୀଦାର ଦଳ ନୀତିଶ କୁମାରଙ୍କ ଦଳ ଜେଡିୟୁ ୮୫ଟି ଆସନ ପାଇ ମିଳିତ ସରକାର ଗଠନ କରିଛନ୍ତି। ଗତକାଲି ପ୍ରେମକୁମାର ବାଚସ୍ପତି ଆସନ ପାଇଁ ବିହାର ବିଧାନସଭା ସଚିବାଳୟରେ ନାମାଙ୍କନ ଦାଖଲ କରିଥିଲେ। ଆଜି ବିଧିବଦ୍ଧ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେବା ପରେ ମୁଖ୍ଯମନ୍ତ୍ରୀ ନୀତିଶ କୁମାର ଓ ବିରୋଧୀ ଦଳ ନେତା ଆରଜେଡି ବିଧାୟକ ତେଜସ୍ବୀ ଯାଦବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ନିଜେ ପ୍ରେମ କୁମାର କହିଛନ୍ତି ୨୪୩ ସଦସ୍ଯ ବିଶିଷ୍ଟ ବିଧାନସଭା ଗୃହରେ ଯେପରି ସମସ୍ତ ସଦସ୍ଯଙ୍କୁ ଗଠନମୂଳକ ଭାବେ ଲୋକଙ୍କ ସମସ୍ଯା ଉପସ୍ଥାପନ କରିବାକୁ ସୁଯୋଗ ମିଳିବେ ସେ ନେଇ ଉଦ୍ୟମ କରିବେ।

