ଲେଖାଶ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ, ନିଜ ଦଳରୁ ବି ସନ୍ତୋଷଙ୍କୁ ନିନ୍ଦା

1 min read

ନନ୍ଦିଘୋଷ ବ୍ୟୁରୋ: ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ମହିଳା ଥାନାରେ ମାମଲା ରୁଜୁ ହେବା ସହ ଖୋଦ ଶାସକ ଦଳର ବିଧାୟକ ସନ୍ତୋଷଙ୍କ ବୟାନକୁ ନିନ୍ଦା କରିଛନ୍ତି । ଚାରିଆଡ଼ୁ ସନ୍ତୋଷଙ୍କୁ କରାଯାଉଛି ସମାଲୋଚନା ।

ମହଙ୍ଗା ପଡିବ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ମହିଳା ନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ । ବିଜେଡି ନେତ୍ରୀ ତଥା ବରିଷ୍ଠ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ ପରେ ସନ୍ତୋଷ ଖଟୁଆଙ୍କ ନାମରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ଥାନା । ସନ୍ତୋଷଙ୍କ ନାମରେ ଯେଉଁ ମାମଲା ରୁଜୁ ହୋଇଛି ସେଥିରେ ସାଂଘାତିକ ଦଫା ଲଗାଯାଇଛି । ବିଏନଏସରେ ମାମଲା ରୁଜୁ ହୋଇଥିବା ବେଳେ ୭୫(୨)- ଯୌନ ନିର୍ଯାତନା, ୭୯-ଅଶାଳୀନ ମନ୍ତବ୍ୟ ରଖିବା, ୨୯୬- ସାଧାରଣରେ ଗାଳି ଗୁଲଜ କରିବା, ୩୫୬- ମାନହାନୀ କରିବା ଭଳି ଦଫା ଲାଗିଛି । ଲେଖାଶ୍ରୀ ସନ୍ତୋଷଙ୍କ ନାଁରେ ଗତକାଲି ଏତଲା ଦେଇଥିଲେ ।  ଆଜି ସେ ଥାନାରୁ ଏତଲା କପି ଗ୍ରହଣ କରିଛନ୍ତି । ତେବେ ବିଜେପି ବିଧାୟକଙ୍କ ବୟାନ ପରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଲେଖାଶ୍ରୀ। ଅସୁରକ୍ଷିତ ହୋଇପଡ଼ିଥିବାରୁ ସରକାରଙ୍କୁ ସୁରକ୍ଷା ମାଗିଛନ୍ତି । ଲେଖାଶ୍ରୀ କହିଛନ୍ତି, ନୀଳଗିରି ବିଧାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ଦଳର ଶୀର୍ଷ ନେତୃତ୍ଵଙ୍କୁ ଅଗବତ କରିଛନ୍ତି । ଜଣେ ମହିଳା ଭାବେ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା କରିଛନ୍ତି । ସମ୍ବିଧାନ ଉପରେ ଭରସା ଅଛି ।

ସେପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବୟାନଙ୍କୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବର୍ଷିଛନ୍ତି । କହିଛନ୍ତି, ବିଧାୟକମାନେ ସଂସ୍କାର ଶିଖିବା ଦରକାର । ଲେଖାଶ୍ରୀ ସାମନ୍ତସିଂହାର ଜଣେ ଉଚ୍ଚଶିକ୍ଷିତ ମହିଳା ନେତ୍ରୀ । ତାଙ୍କ ପ୍ରତି ଏପରି କହିବା ଠିକ୍ ନୁହେଁ । ରାଜନୀତିରେ ଏହା ଗ୍ରହଣୀୟ ନୁହେଁ ।

ସନ୍ତୋଷଙ୍କ ବିବାଦୀୟ ବୟାନକୁ ନେଇ ଖୋଦ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦା ଦାସ ନିନ୍ଦା କରିଛନ୍ତି । ବିଧାୟକଙ୍କ ଭାଷାରେ ଶାଳୀନତା ରହିବା ଦରକାର । ମା, ଭଉଣୀ ସମସ୍ତଙ୍କର । ତେଣୁ ସମସ୍ତେ ନାରୀଙ୍କୁ ସମ୍ମାନ ଦେବା କଥା ବୋଲି ସେ ପରାମର୍ଶ ଦେଇଛନ୍ତି । ସେହିପରି ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ମଧ୍ୟ ନୀଳଗିରି ବିଧାୟକଙ୍କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ସବୁ ମଣିଷର ଶାଳୀନତା ରହିବା ଦରକାର । ଆଗ ଆମେ ମଣିଷ, ତା’ପରେ ବିଧାୟକ । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଭାଷାରେ ସଂଯମତା ରହିବା ଦରକାର ।

ବିଜେପି ସରକାର ଗଠନ କରିବା ଦିନଠୁ ମହିଳା ଉପରେ ନିର୍ଯାତନା ବଢ଼ିବଢ଼ି ଚାଲିଥିବା ବେଳେ ବିଜେପି ବିଧାୟକଙ୍କ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦଳର ମହିଳାଙ୍କ ପ୍ରତି ଆଭିମୁଖ୍ୟ କଣ ତାହା ଜଣା ପଡ଼ୁଛି ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ କହିଛନ୍ତି ।