ଡିସେମ୍ବର ୫ରେ ମହାରାଷ୍ଟ୍ରରେ ନୂଆ ସରକାରଙ୍କ ଶପଥ ଉତ୍ସବ, ହେଲେ ଏଯାଏଁ ଛିଣ୍ଡିନି ଅଙ୍କ
ମୁମ୍ବାଇ: ଆସନ୍ତା ଡିସେମ୍ବର ୫ରେ ଶପଥ ନେବେ ମହାରାଷ୍ଟ୍ରର ନୂଆ ମୁଖ୍ଯମନ୍ତ୍ରୀ । ସିଏମ ପଦକୁ ନେଇ ମହାୟୁତିରେ ସସପେନ୍ସ ଜାରି ରହିଥିବାବେଳେ ତାରିଖ ନିର୍ଦ୍ଧାରିତ ହୋଇଛି । ମୁମ୍ବାଇର ଆଜାଦ ମଇଦାନରେ ସନ୍ଧ୍ୟା ୫ଟାରେ ହେବ ଶପଥ ଗ୍ରହଣ ଉତ୍ସବ । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେପଟେ ସାତାରାସ୍ଥିତ ବାସଭବନରେ ଅଛନ୍ତି କାମଚଳା ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ । ସେ ଅସୁସ୍ଥ ଥିବା ଖବର ମିଳିବା ପରେ ସେଠାରେ ପହଞ୍ଚିଛନ୍ତି ଡାକ୍ତରୀ ଟିମ । ଗତକାଲି ମହାୟୁତି ବୈଠକରେ ଯୋଗ ନଦେଇ ଗାଁକୁ ଚାଲିଯାଇଥିଲେ ଏକନାଥ । ଶିବସେନାକୁ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇପାରେ ବିଜେପି ।
ସେପଟେ ଆସନ୍ତାକାଲି ବସିପାରେ ମହାୟୁତିର ପରବର୍ତ୍ତୀ ବୈଠକ । ଏଥିରେ ଏକନାଥ ସିନ୍ଦେ ଯୋଗଦେବା ସମ୍ଭାବନା ରହିଛି । ପୂର୍ବରୁ ସିନ୍ଦେ କହିଥିଲେ, ସେ ମହାରାଷ୍ଟ୍ର ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବେ ନାହିଁ । ସେପଟେ ସିନ୍ଦେଙ୍କୁ ଉପମୁଖ୍ଯମନ୍ତ୍ରୀ ପଦ ଦେବା ଲାଗି ବିଜେପି କସରତ ଜାରି ରଖିଛି । ତେଣେ ପୁଅ ଶ୍ରୀକାନ୍ତଙ୍କୁ ଉପମୁଖ୍ଯମନ୍ତ୍ରୀ କରିବା ଲାଗି ଏକନାଥ ଚିନ୍ତା କରୁଥିବା ସୂଚନା ମିଳିଛି ।