ବିଜେପିର ‘ଫୁସକି’ ଯାଇଥିବା ସ୍ଲୋଗାନର ଇତିହାସ,ଯେତେବେଳେ ଭୋଟର ହଜମ କରି ପାରିନଥିଲେ ବିଜେପିର ବଡ଼ବଡ଼ ସ୍ଲୋଗାନ

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲର ଖରାଠରୁ ରାଜନୀତିର ତାତି ଅଧିକା । କାରଣ ଇଏ ହେଉଛି ନିର୍ବାଚନୀ ଋତୁ । ଦଳ ବଳ ଧରି ମୈଦାନରେ ନେତା କଶୁଛନ୍ତି ବଳ । ସ୍ଲୋଗାନବାଜୀ ଆରମ୍ଭ ହୋଇ ଚରମରେ ପହଂଚିଲାଣି । ବିଜେପିର ମହତ୍ୱାକାଂକ୍ଷା ତାକୁ ଦେଇଛି ବିରାଟ ଟାର୍ଗେଟ୍ । ଅବ୍ କି ବାର ୪ ଶୋ’ ପାର.. କିନ୍ତୁ ୪ଶହ ପାର କରିବା କ’ଣ ଏତେ ସହଜ ? ବିଜେପିର ଏହି ସ୍ଲୋଗାନକୁ ନେଇ ତାକୁ ଟାର୍ଗେଟ୍ କରିଛି କଂଗ୍ରେସ । ଇତିହାସର ପୃଷ୍ଠା ଓଲଟାଇ ବିଜେପିକୁ ସତର ଆଇନା ଦେଖାଇଛି କଂଗ୍ରେସ । ଦେଇଛି ସେହି ହିସାବର ଲେଖାଯୋଖା,ଯେତେବେଳେ ଗେରୁଆ ଦଳର ସ୍ଲୋଗାନର ହାୱା ବାହାର କରି ଦେଇଛନ୍ତି ଭୋଟର । କେବେ ଓଡିଶାରେ ଏଥ ୧୨୦ ପାର ସ୍ଲୋଗାନ ଦେଇ କଷ୍ଟେମଷ୍ଟେ ଦୁଇ ଅଙ୍କ ଛୁଇଁଥିବା ବିଜେପିକୁ କଂଗ୍ରେସ ଦେଇଛି ଅତୀତର ଫ୍ଲପ୍ ସୋ’ ହିସାବ ।

ମିଶନ ୪୦୦ ପାରକୁ ଭୟର ଆକ୍ଷା ଦେଇଛି କଂଗ୍ରେସ । ବିଜେପି ପରାଜୟକୁ ଲୁଚାଇବା ପାଇଁ ଏଭଳି ନାରା ଦେଉଛି ବୋଲି କହିଛି କଂଗ୍ରେସ ।  ଯେବେ ବି ବିଜେପି ଏଭଳି ନାରା ଦେଇଛି ସେବେ ଫେଲ ମାରିଛି । ସେ ବିଧାନସଭା ହେଉ ବା ଲୋକସଭା । ପ୍ରଧାନମନ୍ତ୍ରୀଙ୍କ ନେତୃତକବରେ ବିଜେପି ଯେଉଁ ରାଜ୍ୟରେ ଏଭଳି ସିଟକୁ ନେଇ ସ୍ଲୋଗାନ ଦେଇଛି କେଉଁଠି ମଧ୍ୟ ସଫଳ ହୋଇନାହିଁ । ବିଜେପିର ସ୍ଲୋଗାନ ବୋମା ଆଗରୁ ବହୁତ ଥର  ଫୁସକି ଯାଇଛି  । ନିଜ ପରାଜୟର ଭୟ ଏବଂ ଅଧିକ ଆତ୍ମବିଶ୍ବାସ ପାଇଁ ଏଭଳି ବିଜେପି କହୁଛି ବିଜେପି । କଂଗ୍ରେସ କହିଛି ବିଜେପିର ଏଭଳି ଆତ୍ମବିଶ୍ବାସ ପାଇଁ ଏଥରକ ନିଶ୍ଚିତ ହାରିବ । ଯେବେ ବି ଏଭଳି ସ୍ଲୋଗାନ ଦେଇଛି ବିଜେପି ସେବେ ଫେଲ୍ ମାରିଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାରେ ମଧ୍ୟ ୧୨୦ ପାରର ନାରା ଦେଇଥିବା ବିଜେପି ମାତ୍ର ୨୩ ଆସନ ପାଇବାରେ ସକ୍ଷମ ହୋଇଥିଲା । ତେବେ ଆସନ୍ତୁ ନଜର ପକାଇବା କିଛି ରାଜ୍ୟର ନିର୍ବାଚନରେ ବିଜେପି କେତେ ଆସନର ସ୍ଲୋଗାନ ଦେଇ ହାତେଇଥିଲା କେତେ ଆସନ ।

୨୦୧୭ ଗୁଜୁରାଟ ନିର୍ବାଚନରେ ୧୫୦ ପାରର ନାରା ଦେଇଥିଲା ବିଜେପି ମାତ୍ର ୯୯ ଆସନ ପାଇଥିଲା

୨୦୧୮ ଛତିଶଗଡ଼ ନିର୍ବାଚନରେ ୫୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୧୫ ଆସନ

୨୦୧୮ ମିଜୋରାମ ନିର୍ବାଚନରେ ୨୧ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ଆସନ

୨୦୧୯ ହରିୟାଣା ନିର୍ବାଚନରେ ୭୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୪୦ ଆସନ

୨୦୧୯ ଝାଡ଼ଖଣ୍ଡ ନିର୍ବାଚନରେ ୬୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୨୫ ଆସନ

୨୦୧୯ ଓଡ଼ିଶାରେ ୧୨୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ମାତ୍ର ୨୩ ଆସନ

୨୦୨୦ ଦିଲ୍ଲୀ ନିର୍ବାଚନରେ ୪୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୮ ଆସନ

୨୦୨୧ ତାମିଲନାଡ଼ୁ ନିର୍ବାଚନରେ ୧୧୮ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୪ ଆସନ

୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନରେ ୨୦୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୭୭ ଆସନ

୨୦୨୨ ହିମାଚଳ ନିର୍ବାଚନରେ ୪୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୨୫ ଆସନ

ଏଥରକ ବିଜେପି,ଏଥର ବାଜପେୟୀ,ଏମିତି ଅନେକ ସ୍ଲୋଗାନ ଅତୀତର ବିଜେପି ଦେଇଛି । କିନ୍ତୁ ସେତେବେଳେ ଏଥରକ,ଆରଥରକୁ ଘୁଂଚି ଯାଇଛି । ବିଜେପିର ହିଟ୍ ନାରା ଦେଇଛି ଫ୍ଲପ୍ ସୋ’ । ବୁଥରେ ଭୋଟର ବିଜେପିକୁ ଆଙ୍ଗୁଠି ଦେଖାଇ ଅନ୍ୟଦଳର ଚିହ୍ନ ଉପରେ ବଟନ ଦାବିଛନ୍ତି । ଏସବୁର ସବୁଠାରୁ ବଡ଼ ଉଦାହରଣ ହେଉଛି ୨୦୦୪ରେ ବିଜେପିର ‘ସାଇନିଂ ଇଣ୍ଡିଆ’ ସ୍ଲୋଗାନ । ସାଇନିଂ ଇଣ୍ଡିଆର ସ୍ଲୋଗାନ ବି ବାଜପାଇଙ୍କୁ କ୍ଷମତାକୁ ଫେରାଇ ଆଣି ପାରିନଥିଲା । ଏଣୁ ଅବକି ବାର ୪ଶୋ ପାରର ଭାଗ୍ୟ କ’ଣ ତାହା ଗଣତି ଦିନ ଜଣା ପଡ଼ିବ । କିନ୍ତୁ ବିରୋଧୀ ଏହାକୁ ବିଜେପିର ଭୟକୁ ଲୁଚାଇବା ଓ ହାୱା ବନାଇବାର ରଣନୀତି ବୋଲି ଦେଖୁଛନ୍ତି ।