ବିଜେପି ନେତାଙ୍କ ଗୁଳିମାଡ଼ରେ ଶିବସେନା ନେତା ଗୁରୁତର

ମୁମ୍ବାଇ: ବିଜେପି ବିଧାୟକଙ୍କ ଗୁଳିମାଡ଼ରେ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ନେତା ଗୁରୁତର । ଜମି ବିବାଦକୁ ନେଇ ମୁମ୍ବାଇ ନିକଟରେ ଘଟିଛି ରକ୍ତାକ୍ତ ପରିଣତି । ବିଧାୟକ ଗଣପତ ଗାଏକଓ୍ବାଡଙ୍କ ଗୁଳିରେ ଆହତ ହୋଇଛନ୍ତି ଶିବସେନା ନେତା ମହେଶ ଗାଏକଓ୍ବାଡ । ଖୋଦ୍ ପୋଲିସ ଷ୍ଟେସନରେ ଘଟିଛି ଏହି ଅଭାବନୀୟ କାଣ୍ଡ । ଘଟଣା ପରେ ବିଜେପି ନେତା ଗଣପତି ଗାଏକଓ୍ବାଡଙ୍କୁ ଗିରଫ କରିଛି ପୋଲିସ ।

ଉଭୟ ବିଜେପି ଓ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ମେଣ୍ଟ ସରକାରରେ ଥିବା ସତ୍ତ୍ବେ ଏହି ଗୁଳିମାଡ ଘଟଣା ଚର୍ଚ୍ଚାର କାରଣ ହୋଇଛି । କଲ୍ୟାଣ ଇଷ୍ଟ ନିର୍ବାଚନ ମଣ୍ଡଳୀରୁ ବର୍ତ୍ତମାନ ବିଧାୟକ ଅଛନ୍ତି ଗଣପତ । ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି ଡିସିପି ସୁଧାକର ପଥାରେ । ଜମି ବିବାଦ ଘନୀଭୂତ ହେବା ପରେ ଉଭୟ ପକ୍ଷ ମୁମ୍ବାଇ ନିକଟସ୍ଥ ହିଲ୍ ଲାଇନ ପୋଲିସ ଷ୍ଟେସନକୁ ଆସିଥିଲେ । ତେବେ ଥାନା ପରିସରରେ ଉଭୟ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉତ୍ତେଜିତ ହୋଇ ମହେଶଙ୍କ ଉପରକୁ ଗୁଳି ଚଳାଇଥିଲେ ଗଣପତ । ଗୁଳିମାଡରେ ଆହତ ମହେଶ ଓ ତାଙ୍କର ଜଣେ ସହଯୋଗୀପଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହେଶଙ୍କ ଦେହରୁ ୫ଟି ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି । ଗଣପତ କହିଛନ୍ତି ତାଙ୍କର ଏକ ଜମିକୁ ମହେଶ ଜବରଦଖଲ କରିଥିଲେ । ଥାନା ପରିସରରେ ଗଣ୍ଡଗୋଳ ହେବାରୁ ସେ ଆତ୍ମରକ୍ଷା ଲାଗି ଗୁଳିଚାଳନା କରିଥିଲେ । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛି ଉଦ୍ଧବ ଠାକରେ ନେତୃତ୍ବାଧୀନ ଶିବସେନା ।