spot_img

Latest Posts

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଘଟଣା, ନିନ୍ଦା କଲେ ବିଜେଡ଼ି-କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଜୋର ଧରିଛି ରାଜନୀତି । ବିଧାୟକଙ୍କ ଏପରି ଉଦ୍ୟମ ବିଧାନସଭାର ଗାରିମାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛି ବିଜେଡ଼ି । ତେଣୁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି । ନହେଲେ ଗୃହ ଚଳାଇ ଦିଆଯିବନାହିଁ ବୋଲି ଶାସକ ଦଳ କହିଛି । କାଲିର ସୁଇସାଇଡ୍ ଡ୍ରାମାକୁ ନେଇ ଆଜି ଗୃହ ଚାଲିପାରିନାହିଁ । ହଙ୍ଗାମା ଯୋଗୁଁ ଗୃହକୁ ବାରମ୍ବାର ମୁଲତବି ରଖିଛନ୍ତି ବାଚସ୍ପତି ।

ଧାନକିଣା ଏବଂ ମଣ୍ଡି ଅବ୍ୟବସ୍ଥା ଅଭିଯୋଗ ନେଇ ଶୁକ୍ରବାର ବିଧାନସଭାରେ ସୁବାସ ପାଣିଗ୍ରାହୀ ଦେଖାଇଲେ ହାଇଭୋଲଟେଜ୍ ଡ୍ରାମା। ଆତ୍ମହତ୍ୟା ଉଦ୍ୟମ କରି ବିଧାନସଭା ଇତିହାସରେ ରଚିଲେ କଳଙ୍କିତ ଅଧ୍ୟାୟ । କ୍ଷୁର୍ଣ୍ଣ କଲେ ଗୃହର ମର୍ଯ୍ୟାଦା। ତେଣୁ ସେ ତୁରନ୍ତ ଗୃହ ମଧ୍ୟରେ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି । କିଛି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି, କ୍ଷମା ଦାବି ସ୍ବରକୁ ଶାଣିତ କରିଥିଲେ । ଜଣେ ଜନ ପ୍ରତିନିଧି ନିଜ ଆଚରଣ ଓ ଉଚ୍ଚାରଣ ଭୁଲି ଯେଉଁଭଳି ଭୁଲ ବାର୍ତ୍ତା ଦେଲେ, ତାକୁ ଦୃଢ ବିରୋଧ କରିଛି ବିଜେଡି।

ଚର୍ଚ୍ଚାରେ ରହିବା ପାଇଁ ନା ଏହା ପଛରେ ବିଜେପିର ସୁଚିନ୍ତିତ ରାଜନୀତି ରହିଛି, ସେନେଇ ଦଳ ସ୍ପଷ୍ଟ କରିବାକୁ କହିଛି ବିଜେଡି । ବିଧାୟକଙ୍କ ଆତ୍ମହତ୍ୟା ନାଟକ ନେଇ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଝଡ଼ । ଫଳରେ ଗୃହକୁ ବାରମ୍ବାର ମୁଲତିବ ରଖିଛନ୍ତି ବାଚସ୍ପତି । କେବଳ ଶାସକ ଦଳ ନୁହେଁ, ବିରୋଧୀ ମଧ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ଚାହିଁଲେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ, ହେଲେ କ୍ଷମା କାହିଁକି ମାଗିବେ ବୋଲି ଯୁକ୍ତି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ସେପଟେ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିଥାନ୍ତା ବୋଲି କଂଗ୍ରେସ କହିଛି । ବିଜେପି ବିଧାୟକଙ୍କ ଏପରି ଉଦ୍ୟମକୁ ମଧ୍ୟ ନିନ୍ଦା କରିଛି କଂଗ୍ରେସ । ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଦେଶରେ କୃଷି ଆଇନ୍ ନେଇ ଅନ୍ନଦାତାଙ୍କ ଆକ୍ରୋଶ ଚରମରେ ରହିଛି । ଶହେରୁ ଅଧିକ ଦିନ ଧରି ଶୀତ, ଖରାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ ହେଲେ କେନ୍ଦ୍ର ସରକାର ଶୁଣୁନାହାନ୍ତି । ସେପଟେ ମଣ୍ଡି ସମସ୍ୟା ନେଇ ଦୁଇ ଦୁଇ ଥର ବିଧାନସଭା ଆଲୋଚନାରେ ମନ୍ତ୍ରୀ ଉତ୍ତର ରଖିବା ସହ ପ୍ରକୃତ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି କହିଛନ୍ତି ।

Latest Posts

Don't Miss