ଜୟନାରାୟଣଙ୍କ ଅହଙ୍କାର ଗ୍ରହଣୀୟ ନୁହେଁ: ବିଜୟ

ଭୁବନେଶ୍ବର: ମହିଳା ଆଇଆଇସିଙ୍କୁ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା  ଜୟନାରାୟଣ ମିଶ୍ରଙ୍କ ମାଡ଼ ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଚାରିଆଡୁ ସମାଲୋଚନାର ଶିକାର ହେଉଛନ୍ତି ଜୟନାରାୟଣ । ମହିଳାଙ୍କଠାରୁ ଆରମ୍ଭ କରି ଛାତ୍ର ସଂଗଠନ, କିନ୍ନର ସମସ୍ତଙ୍କ ମନରେ ଜୟନାରାୟଣଙ୍କୁ ନେଇ ଅସନ୍ତୋଷ । ରାସ୍ତାରେ ହେଉଛି ବିକ୍ଷୋଭ । ଜୟନାରାୟଣଙ୍କ ବାସଭବନ ଆଗରେ ହେଉଛି ପ୍ରଦର୍ଶନ । ଏମିତି ସ୍ଥିତିରେ ନିଜ ଦଳରେ ମଧ୍ୟ ଜୟନାରାୟଣଙ୍କ ବିରୋଧରେ ଉଠିବାରେ ଲାଗିଛି ଅସନ୍ତୋଷର ସ୍ବର । ଜୟନାରାୟଣଙ୍କୁ ତାଙ୍କ ଏପରି କାର୍ଯ୍ୟ ପାଇଁ ତୀବ୍ର ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ବିଜୟ କହିଛନ୍ତି, ‘ବିରୋଧୀ ଦଳ ନେତା ପଦ ଏକ ମର୍ଯ୍ୟାଦାଜନକ ଓ ସାମ୍ବିଧାନିକ ପଦବୀ । ଏହାର ମର୍ଯ୍ୟାଦା ରକ୍ଷା କରିବା ବିରୋଧୀ ଦଳ ନେତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ଜୟନାରାୟଣ ମିଶ୍ରଙ୍କ ଅହଙ୍କାର ଗ୍ରହଣୀୟ ନୁହେଁ । ବିରୋଧୀ ଦଳ ନେତା ନିଜ ସୀମା ଭିତରେ ରହି କାମ କରିବା ଦରକାର ।’

ସେହିପରି ବିରୋଧୀ ଦଳ ନେତା ମ୍ୟାନେଜ ହେଉଥିବା ନେଇ ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ବିଜୟ । କହିଛନ୍ତି, ‘ଅତୀତରେ ବିରୋଧୀ ଦଳ ନେତାମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ବିଶ୍ୱାସ ଭାଜନ ହୋଇଛନ୍ତି । ସେମାନଙ୍କ ସମ୍ପର୍କରେ ଏଭଳି ଟିପ୍ପଣୀ ଦେବା ଆଦୌ ଉଚିତ ନୁହେଁ ।’